ପିଡିଏସ୍‌ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ

0 92

ଭଦ୍ରକ : ପିଡିଏସ୍‌ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍‌ ଚାଉଳ । ଖାଦ୍ୟ ଉପଯୋଗୀ ହୋଇପାରୁନି ଚାଉଳ । ଏହି ନିମ୍ନମାନର ଚାଉଳ ନେଇ ହତାଶ ଗରିବ ହିତାଧିକାରୀ । ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ ନିର୍ଗୁଣ୍ଡି ପଞ୍ଚାୟତରୁ ଆସିଛି ଏପରି ଅଭିଯୋଗ । ସୂଚନା ଅନୁସାରେ ପଞ୍ଚାୟତରୁ ଜନୈକ ଡିଲରଙ୍କ ପାଖରୁ ନିର୍ଗୁଣ୍ଡି ଗାଁର ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସ ପରି ଚଳିତ ମାସ ଚାଉଳ ନେଇଥିଲେ । ରୋଷେଇ କଲାବେଳେ ପ୍ଲାଷ୍ଟିକ୍‌ ଗନ୍ଧ ବାହାରିବା ସହିତ ଚାଉଳ ଫୁଟୁନାହିଁ ।

ପାଣିରେ ପ୍ଲାଷ୍ଟିକ୍‌ ଚାଉଳ ଭାସୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଯଦି କେହି ଖାଇ ଦେଉଛନ୍ତି, ତେବେ ତାଙ୍କର ଦାନ୍ତରେ ଲାଗି ରହିବା ସହିତ ଝାଡା ମଧ୍ୟ ହେଉଛି । ତେଣୁ ଗରିବ ହିତାଧିକାରୀମାନେ ଏହି ଚାଉଳକୁ ନେଇ ହଇରାଣ ହରକତ ହେଉଛନ୍ତି । ଗାଁର ଗରିବ ଲୋକମାନେ ଏହି ପିଡିଏସ୍‌ ଚାଉଳ ଉପରେ ନିର୍ଭର କରିଥାନ୍ତି । ସେପଟେ ଚାଉଳରେ ପ୍ଲାଷ୍ଟିକ୍‌ ବାହାରୁ ଥିବାରୁ ସେମାନେ ତାହାକୁ ରୋଷେଇ କରିପାରୁନାହାଁନ୍ତି । ସଂପୃକ୍ତ ଡିଲରଙ୍କୁ ସେମାନେ ପଚାରିବାରୁ, ସେ କହୁଛନ୍ତି ବସ୍ତାରୁ ଯାହା ଆସିଥିଲା, ତାକୁ ଆମେ ଦେଉଛୁ । ମୁଁ କିଛି କହିପାରିବିନାହିଁ । ତେବେ ଏହି ପ୍ଲାଷ୍ଟିକ୍‌ ଚାଉଳ କିପରି ପିଡିଏସ୍‌ ଚାଉଳରେ ଆସିଲା, ତାର ତଦନ୍ତ ହେବା ସହିତ ସଂପୃକ୍ତ ହିତାଧିକାରୀଙ୍କୁ ଭଲ ଚାଉଳ ଦେବାକୁ ସେମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.