ତରଳୁଛି ବରଫ ଚାଦର, ଶୁଖିଯିବ ନଦୀ: ମିଳିବନି ପାଣ

0 81

ନୂଆଦିଲ୍ଲୀ : ସାରା ବିଶ୍ୱ ଉପରେ ମାଡ଼ିଆସୁଛି ବିପଦ । ହଜାର ହଜାର ବର୍ଷଧରି ଆଣ୍ଟାର୍କଟିକାରେ ଜମି ରହିଥିବା ବରଫ ଚାଦର ଏବେ ତରଳିବାରେ ଲାଗିଛି । ସବୁଜ ଘରର ପ୍ରଭାବ ଯୋଗୁ ଏଭଳି ଘଟିଥିବା କୁହାଯାଇଛି । ଏହାଦ୍ୱାରା ସମୁଦ୍ରର ଜଳସ୍ତର ୧୭୦ରୁ ଫୁଟ୍‌ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ଥିବାବେଳେ ବିଶ୍ୱର ଉପକୂଳ ଅଞ୍ଚଳ ବୁଡ଼ିଯିବା ଆଶଙ୍କା ରହିଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

୨୦୨୫ ସୁଦ୍ଧା ସମୁଦ୍ରରେ ପୁରୀ ସ୍ୱର୍ଗଦ୍ୱାର ଲୀନ ହେବା ଆଶଙ୍କା କରାଯାଇଛି । ବର୍ତ୍ତମାନ ସମୁଦ୍ର ଜଳପତ୍ତନ ବଢ଼ୁଥିବାରୁ ଚାନ୍ଦିପୁରରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ଅବକ୍ଷୟ ଆରମ୍ଭ ହୋଇଯାଇଛି । ସାତଭାୟା ଭଳି ଅନେକ ଗାଁ ଜନଶୂନ୍ୟ ହେବାର ଆଶଙ୍କା ଥିବାବେଳେ ୩୦ବର୍ଷରେ ଚିଲିକା ତାର ଅସ୍ତିତ୍ୱ ହରାଇବ । ଖାଲି ଏତିକି ନୁହେଁ, ନଦୀ ଶୁଖିବା ସହିତ ମିଳିବନି ପାଣି । ଆଗାମୀ ୨୭ ବର୍ଷ ଭିତରେ ଅର୍ଥାତ ୨୦୫୦ ବେଳକୁ ଦେଶର ମୁଖ୍ୟ ନଦୀ-ନାଳ ଶୁଖିଯିବ ।

ଯାହାଦ୍ୱାରା ଦକ୍ଷିଣ ଏସିଆର ୧୭୦ରୁ ୨୪୦ କୋଟି ଲୋକ ପିଇବା ପାଣିର ଘୋର ଅଭାବର ସାମ୍ନା କରିବେ । ଏହାର ମୁଖ୍ୟ କାରଣ ହେଲା ହିମାଳୟର ଗ୍ଲାସିଅର ଦ୍ରୁତ ଗତିରେ ତରଳୁଛି । ଭାରତ, ଚୀନ, ପାକିସ୍ତାନର ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁନଦୀର ଜଳସ୍ତର ବହୁତ ତଳକୁ ଖସିଯିବ । ଫଳରେ ଏହି ଅଞ୍ଚଳରେ ଲୋକେ ଘୋର ଜଳସଂକଟର ସାମ୍ନା କରିବେ । ଏନେଇ ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ଏକ ଭୟ ଉଦ୍ରେକକାରୀ ରିପୋର୍ଟ । ପୃଥିବୀ ପାଇଁ ଗ୍ଲାସିଅର ଅତି ଗୁରୁତ୍ୱପୂର୍ଣ୍ଣ । ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ଏବେ ଗ୍ଲାସିଅର ଅଛି । କିନ୍ତୁ ବିଶ୍ୱତାପାୟନ ପାଇଁ ଏହା ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି ।

ଆଣ୍ଟାର୍କଟିକାରୁ ପ୍ରତିବର୍ଷ ୧୫ ଶହ କୋଟି ଟନ୍‌ ବରଫ ତରଳିବାରେ ଲାଗିଛି । ଗ୍ରୀନଲାଣ୍ଡର ୨୭ ଶହ କୋଟି ଟନ୍‌ ବରଫ ପ୍ରତିବର୍ଷ ନଷ୍ଟ ହେବାରେ ଲାଗିଛି । ଏହି ଦୁଇ ଅଞ୍ଚଳ ଅପେକ୍ଷା ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି । ହିମାଳୟରୁ ୧୦ଟି ପ୍ରମୁଖ ନଦୀ ବୋହିଯାଉଛନ୍ତି । ଏହାର ପାଣିରେ ୧୩୦ କୋଟି ଲୋକ ଉପକୃତ ହେଉଛନ୍ତି । ବିଶେଷକରି ପାନୀୟଜଳ ଭାବେ ଏହି ନଦୀଗୁଡିକର ଜଳକୁ ବ୍ୟବହାର କରୁଛନ୍ତି । ତେବେ ହିମାଳୟ ଗ୍ଲାସିଅର ତରଳିବା ଦ୍ୱାରା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ନଦୀ ବିଶେଷ ଭାବେ ପ୍ରଭାବିତ ହେବେ । ଚୀନ ଓ ପାକିସ୍ତାନରେ ଗ୍ଲାସିଅର ତରଳିବା ଦ୍ୱାରା ଭୟଙ୍କର ବନ୍ୟା ଆସିପାରେ ବୋଲି କହିଛି ଜାତିସଂଘର ଏହି ରିପୋର୍ଟ ।

Leave A Reply

Your email address will not be published.