ନୂଆଦିଲ୍ଲୀ : ଏରୋସ୍ପେସ୍ ତଥା ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ୍)ରେ ଭାରତ ସରକାର ଅଫର ଫର ସେଲ୍ ଅର୍ଥାତ୍ ଓଏଫ୍ଏସ୍ ଜରିଆରେ ୩.୫% (୧୧,୭୦୩,୫୬୩ ସେୟାର) ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବେ । ଏଥିପାଇଁ ଫ୍ଲୋର ପ୍ରାଇସ୍ ୨,୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ମୂଲ୍ୟ ବର୍ତ୍ତମାନର ବଜାର ଦରଠାରୁ ୬.୬% କମ୍ । ହାଲ୍ର ସେୟାର ବୁଧବାର ୩୦.୫୫ ଟଙ୍କା ଖସି ୨,୬୨୫ ଟଙ୍କାରେ ବନ୍ଦ ହୋଇଛି ।
ଏହି ଆଧାରରେ ଅଂଶଧନ ବିକ୍ରି ଦ୍ୱାରା ସରକାରଙ୍କୁ ୨୮୬୭ କୋଟି ଟଙ୍କା ମିଳିବ । ରେଗୁଲାଟୋରି ଫାଇଲିଂ ଅନୁସାରେ ଅଫର ଫର ସେଲ୍ ଅଣ-ରିଟେଲ ନିବେଶକଙ୍କ ପାଇଁ ୨୩ ମାର୍ଚ୍ଚ ଏବଂ ରିଟେଲ ନିବେଶକଙ୍କ ପାଇଁ ମାର୍ଚ୍ଚ ୨୪ରେ ଖୋଲିବ । ୨୦୧୮ ମାର୍ଚ୍ଚରେ ତାଲିକାଭୁକ୍ତ ଏହି କମ୍ପାନିରେ ବର୍ତ୍ତମାନ ସରକାରଙ୍କ ୭୫.୧୫% ଅଂଶଧନ ରହିଛି । ସୂଚନାଯୋଗ୍ୟ, ହିନ୍ଦୁସ୍ତାନ ଏରୋନଟିକ୍ସର ପୁଞ୍ଜି ପ୍ରତ୍ୟାହାର ୨୦୧୮ରେ ଆରମ୍ଭ ହୋଇଥିଲା । ଉକ୍ତ ବର୍ଷ ହାଲ୍ ଏହାର ଆଇପିଓ ଜାରି କରିଥିଲା । ଏହା ପରେ ହାଲ୍ରେ ଭାରତ ସରକାରଙ୍କ ଅଂଶଧନ ୧୦୦%ରୁ ଖସି ୮୯.୯୭% ହୋଇଥିଲା ।
ଏହା ମାଧ୍ୟମରେ ସରକାରଙ୍କୁ ପ୍ରାୟ ୪,୨୨୯ କୋଟି ଟଙ୍କା ମିଳିଥିଲା । ହାଲ୍ ଏକ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନି । ଏହାର ମୁଖ୍ୟ କାର୍ଯ୍ୟାଳୟ ବେଙ୍ଗାଲୁରୁରେ ଅଛି । ଏ କମ୍ପାନି ବିଶ୍ୱର ସବୁଠାରୁ ପୁରୁଣା ଏବଂ ବଡ଼ ଏରୋସ୍ପେସ୍ କମ୍ପାନି ମଧ୍ୟରୁ ଅନ୍ୟତମ । ଭାରତୀୟ ବାୟୁସେନାରେ ଦୁଇ ତୃତୀୟାଂଶ ୱାର୍କହର୍ସ ବିମାନ ହାଲ୍ର । ହାଲୁକା ଲଢୁଆ ବିମାନ(ଏଲ୍ସିଏ) ତେଜସ୍ର ନିର୍ମାଣ ମଧ୍ୟ ହାଲ୍ କରିଛି ।