ୱିମେନ୍ସ ପ୍ରିମିୟର ଲିଗ୍ ଫାଇନାଲ୍: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍

0 163

ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ସଂସ୍କରଣର ପ୍ରଥମ ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି । ଭାରତୀୟ ଟିମର ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲର ପ୍ରଥମ ଟ୍ରଫି ନିଜ ନାଁରେ କରିନେଇଛି। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ରମୋଞ୍ଚକର ଫାଇନାଲ୍ ମ୍ୟାଚଟିକୁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ଜିତିନେଇଛି । ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚମ୍ପିଆନ ହୋଇଛି ମୁମ୍ବାଇ ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ନିଜର ୯ ୱିକେଟ୍ ବିନିମୟରେ ୨୦ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ୩ ୱିକେଟ୍ ହରାଇ ୧୯.୩ ଓଭରରେ ବିଜୟ ଲକ୍ଷକୁ ହାସଲ କରିନେଇଛି । ବିଜୟ ଲକ୍ଷ୍ୟ ମାତ୍ର ୧୩୨ ଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ କଡ଼ା ଟକ୍କର ଦେଇଥିଲା । ମ୍ୟାଚଟିକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ । ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ନାଟ ସ୍କିଭର ବ୍ରଣ୍ଟଙ୍କ ଅପରାଜିତ ୬୦ ରନ୍ ଦଳକୁ ବିଜୟୀ କରାଇଥିଲା ।

ଆଜିର ମ୍ୟାଚରେ ପ୍ରଥମେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ବ୍ୟାଟର ଅଧିନାୟକ ଲାନିଂ ଏବଂ ସେଫାଳି ବର୍ମା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସେଫାଳି ବର୍ମା ଭଲ ପ୍ରଦର୍ଶନ କରି ପାରିନଥିଲେ ମାତ୍ର ୧୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ଅଧିନାୟକ ଲାନିଂ ଦଳୀୟ ସ୍ଥିତିକୁ କିଛି ସମୟ ପାଇଁ ସୁଦୃଢ଼ କରିଥିଲେ । ୨୯ ଟି ବଲରେ ୩୫ ରନ୍ କରି ସେ ରନ୍ ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାରିଜେନ କପ୍ ୧୮ ରନ୍ କରିଥିଲେ ।

ମଧ୍ୟ ଭାଗର ବ୍ୟାଟରମାନେ ମୁମ୍ବାଇ ଇଣ୍ଡିଆନ୍ସର ଘୋତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ । ଗୋଟେ ପରେ ଗୋଟେ ୱିକେଟ୍ ଗଳିଥିଲା । ଏପରି ସ୍ଥିତି ଥିଲା ଯେ ଦଳୀୟ ସ୍କୋର ୭୯ ଥିବା ବେଳେ ଦଳ ୯ ଟି ୱିକେଟ୍ ହରାଇଥିଲା । ହେଲେ ଶେଷ ଭାଗରେ ଶିଖା ପାଣ୍ଡେ (୧୭ ବଲରେ ୨୭ ରନ୍) ଏବଂ ରାଧା ଯାଦବ (୧୨ ବଲ୍ ୨୭ରନ୍) ଅପରାଜିତ ରହି ଦଳୀୟ ସ୍କୋରକୁ ୧୩୧ରନରେ ପହଞ୍ଚାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୱଙ୍ଗ୍ ଏବଂ ହାଲି ମାଥ୍ୟୁଜ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମେଲି କେର ୨ଟି ୱିକେଟ୍ ହାସଲ କରିଥିଲେ ।

୧୩୨ରନର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାଲି ମାଥ୍ୟୁଜ ଏବଂ ୟାସ୍ତିକା ଭାଟିଆ କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଉଭୟ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ରହିଥିଲେ । ମାଥ୍ୟୁଜ ମାତ୍ର ୧୩ ରନ୍ ଏବଂ ୟାସ୍ତିକା ୪ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ଅଧିନାୟକ ହରମନପ୍ରୀତ ଏବଂ ନାଟ ସ୍କାଇଭର ବ୍ରଣ୍ଟ ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ଅଧିନାୟକ ହରମନପ୍ରୀତ ୩୯ ଟି ବଲରେ ୩୭ ରନ୍ କରି ୧୬ତମ ଓଭରରେ ରନ୍ ଆଉଟ୍ ହୋଇଯାଇଥିଲେ ।

ଏହାପରେ ନାଟ ସ୍କାଇଭର ଏବଂ ମେଲି କେରଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ରହିଥିଲା । ନାଟ୍ ସ୍କାଇଭର ୫୫ ଟି ବଲରେ ଅପରାଜିତ୍ ୬୦ ରନ୍ କରିଥିଲେ ଏବଂ ମେଲି କେର୍ ୮ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ । ଦଳ ୩ଟି ୱିକେଟ୍ ବିନିୟମରେ ୧୯.୩ ଓଭରରେ ୧୩୪ ରନ୍ କରି ବିଜୟୀ ହୋଇଛି । ଦିଲ୍ଲୀ ପକ୍ଷରୁ ରାଧା ଯାଦବ ଏବଂ ଜୋନାସେନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.