ନନ୍ଦନକାନନରେ ରୋପ୍‌ୱେର ମଜାନେବେ ପର୍ଯ୍ୟଟକ : ଏପ୍ରିଲରୁ କାର୍ଯ୍ୟକ୍ଷମ

0 99

ଭୁବନେଶ୍ୱର : ଆଗାମୀ ଏପ୍ରିଲ ମାସରେ ରୋପ୍‌ୱେ ଚାଲିବ । ଏଥି ନିମନ୍ତେ ରୋପ୍‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି । ଦୁର୍ଘଟଣା ଘଟିଲେ କିପରି ରୋପ୍‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ ।

ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୋପ୍‌ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳକ୍ରମେ ବୋଟ୍‌ ମାଧ୍ୟମରେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ୧୨ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌ୱେ ଚାଲିବା ଖବର ପାଇଁ ପର୍ଯ୍ୟଟକମାନେ ଖୁସୀ ବ୍ୟକ୍ତ କରିଛନ୍ତି ।

ରୋପ୍‌ୱେ ବ୍ୟବସ୍ଥାରେ ଅତ୍ୟାଧୁନିକୀକରଣ କରାଯାଇଛି । ଏହା ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପ୍‌ୱେ ଖସିଲେ ଆପେ ଆପେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ । ଏକ ଘଣ୍ଟାରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହାକୁ ଚଲାଇବାକୁ ନେଇ ଏକ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍‌ୱ ଦିଆଯାଇଛି । ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ୧୩ ଲକ୍ଷ ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେବ । ତା’ପରେ ପର୍ଯ୍ୟାକ୍ରମେ ୫ରୁ ୧୦ ବର୍ଷ ପାଇଁ ୧୬.୨୫ ଲକ୍ଷକୁ ବୃଦ୍ଧି କରାଯିବ ।

୧୦ରୁ ୧୫ବର୍ଷ ପାଇଁ ୧୯.୫୦ ଲକ୍ଷ ଏବଂ ୧୫ରୁ ୨୦ବର୍ଷ ପାଇଁ ୨୧.୮୪ଲକ୍ଷ ଟଙ୍କା ଦେବ । ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌ ସହିତ ଏହି ରୋପ୍‌ୱେ ନିର୍ମାଣ କରାଯିବ ।ଏହି କ୍ୟାବିନ୍‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌ କାମ କରିବ । ଏହିପରି ୪୮ ଜଣ ଏକା ସମୟରେ ଗତି କରିପାରିବେ । ଏହି ରୋପ୍‌ୱେରେ ଯେଉଁ ପର୍ଯ୍ୟଟକ ମଜାନେବେ ସେମାନଙ୍କଠାରୁ ଟିକଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ ।

ସୂଚନାଯୋଗ୍ୟ, ୨୦୧୧ ଫେବୃଆରୀ ମାସରେ ଅସୁରକ୍ଷିତ ଘୋଷଣା କରି ସମ୍ପୂର୍ଣ୍ଣ ବନ୍ଦ  ରଖାଯାଇଥିଲା । ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌ୱେ ଇନଫ୍‌ ଲିଃକୁ କାର୍ଯ୍ୟାଦେଶ ଦିଅ ।ଯାଇଥିଲା । ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳେକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା ଏବଂ କାମ ବନ୍ଦ ରଖାଯାଇଥିଲା ।

୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା । ୧୯୯୪ ଅକ୍ଟୋବର ୧୦ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା । ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀରେ ରୋପ୍‌ୱେ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା । ବହୁ ପର୍ଯ୍ୟଟକ ଏହି ରୋପ୍‌ୱେରେ ବସିବା ପାଇଁ ଅ ।ସି ନିରାଶ ହୋଇ ଫେରୁଥିଲେ ।

Leave A Reply

Your email address will not be published.