ନବୀନ-ହାସିମୋତୋ ଆଲୋଚନା, ଓଡ଼ିଶାରେ ହେବ ସର୍ବବୃହତ୍‌ ଷ୍ଟିଲ ପ୍ଲାଣ୍ଟ

0 109

ଭୁବନେଶ୍ୱର : ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିପ୍ପନ ଷ୍ଟିଲ କର୍ପୋରେସନ୍‌ର ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କୁ ଭେଟି ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି । ନିପ୍ପନ ଷ୍ଟିଲ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ କାର୍ଯ୍ୟ କରିବା ନେଇ କ’ଣ ସବୁ ସୁଯୋଗ ରହିଛି ସେ ନେଇ ଆଲୋଚନା ହୋଇଛି । ଏହି ଅବସରରେ ହାସିମୋତୋ ଏବଂ ତାଙ୍କ ଟିମ୍‌କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିପ୍ପନ ଷ୍ଟିଲ ପ୍ରକଳ୍ପ ଓଡ଼ିଶାରେ ଏକ ବଡ଼ ଅଞ୍ଚଳରେ ବହୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ । ନିପ୍ପନ ଷ୍ଟିଲ ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ତାଙ୍କ କମ୍ପାନୀର ଏକମାତ୍ର ଲକ୍ଷ୍ୟ ହେଉଛି ଓଡ଼ିଶାରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ ପ୍ରକଳ୍ପ କରିବା । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ନିୟୁତ ଟନ୍‌ ରହିବ । ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ । ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ସହ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବେଶ୍‌ ସମୃଦ୍ଧ ହୋଇପାରିଛି ।

ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ବିପୁଳ ନିବେଶ ହୋଇଛି ଓ ଆହୁରି ନିବେଶର ସମ୍ଭାବନା ସୃଷ୍ଟି ହୋଇଛି । ପାଶ୍ଚାତ୍ୟ ଦେଶର ବହୁ କମ୍ପାନୀ ଓଡ଼ିଶାରେ ଶିଳ୍ପ ସ୍ଥାପନ ନିମନ୍ତେ ଆଗ୍ରହ ପ୍ରକାଶ କରିଥିବା ବେଳେ ଗତକାଲିଠୁ ପ୍ରାଚ୍ୟର ମୁଖଶାଳା ତଥା ସୂର୍ଯ୍ୟୋଦୟର ଦେଶ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଏବଂ ଓଡ଼ିଶାରେ ନିବେଶ ପଥ ପ୍ରଶସ୍ତ ନିମନ୍ତେ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଜାପାନ ଗସ୍ତ କରିଥିବା ବେଳେ ଆଜି ଟୋକିଓରେ ଜାପାନର ପ୍ରମୁଖ ଷ୍ଟିଲ କମ୍ପାନୀ ମୁଖ୍ୟଙ୍କୁ ଭେଟିଛନ୍ତି । ଓଡ଼ିଶାକୁ ଦେଶର ଅଗ୍ରଣୀ ପୁଞ୍ଜି ନିବେଶସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରେଚେଷ୍ଟା କରୁଥିବା ବେଳେ ବଡ଼ ବଡ଼ କମ୍ପାନୀ ମୁଖ୍ୟଙ୍କ ସହ ସିଧାସଳଖ କଥା ହୋଇ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କରୁଛନ୍ତି । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଟୋକିଓରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋଙ୍କୁ ସାକ୍ଷାତ କରିଛନ୍ତି

। ରାଜ୍ୟ ସରକାର ଓ ଏନଏସସି ମଧ୍ୟରେ ଭାଗିଦାରୀ ସମ୍ଭାବନା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋଙ୍କୁ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିଛନ୍ତି । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ଇସ୍ପାତ ନିର୍ମାଣ ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସଂପୃକ୍ତ କମ୍ପାନୀକୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋ କହିଛନ୍ତି ଭାରତରେ ନିପ୍ପନ ଷ୍ଟିଲ ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାରେ ହିଁ ନିବେଶ କରିବ ।

ଟୋକିଓରେ ପହଞ୍ôଚବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସି.ଭି.ଜର୍ଜ । ପୁଞ୍ଜିନିବେଶ ସମ୍ପର୍କରେ ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କ ତିନିଦିନ ଧରି ମାରାଥନ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଟୋକିଓର ଅକୁରାଠାରେ ଅନୁଷ୍ଠିତ ହେବ ଓଡ଼ିଶା ବିଜିନେସ୍‌ ମିଟ୍‌-୨୦୨୩ । ଏଥିରେ ଯୋଗଦେବେ ଜାପାନର ୨୦୦ ଶିଳ୍ପପତିଙ୍କ ସହ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳର ଅନେକ ବ୍ୟବସାୟୀ ଓ ନିବେଶକାରୀ । ବିଜିନେସ୍‌ ମିଟ୍‌କୁ ସମ୍ବୋଧନ କରି ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ଦେଇ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ୬ ତାରିଖରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲର କିମିସ୍କୁ ଷ୍ଟିଲ ୱାର୍କ୍ସ ପ୍ଲାଣ୍ଟ ଓ ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ
କରିବେ ।

Leave A Reply

Your email address will not be published.