ସମୀକ୍ଷା ହେବ ଲୋକଙ୍କ ମତାମତ : ପରଖାଯିବ ‘ମୋ-ସରକାର’ର କାର୍ଯ୍ୟ

0 112

ଭୁବନେଶ୍ବର : ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାଂଶ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଉଛନ୍ତି। ଏହାସତ୍ତ୍ବେ କେତେକ ବିଭାଗରେ ଶାସନ ବାଟବଣା ହେଉଛି, ଲୋକେ ସରକାରୀ ସହାୟତା ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଚାଷୀ ଋଣ ନପାଇ ହନ୍ତସନ୍ତ ହେଉଥିବାବେଳେ ସ୍ବାସ୍ଥ୍ୟସେବା ଭେଳିକି ପାଲଟୁଛି। ଏହାର ପ୍ରତିକୂଳ ପ୍ରଭାବ ସରକାରଙ୍କ ଉପରେ ପଡୁଛି। ଜନସାଧାରଣଙ୍କ ନିକଟରେ ଯେଭଳି ସମସ୍ତ ସେବା ଠିକଣା ଭାବେ ପହଞ୍ଚିବ ତାକୁ ନେଇ ସରକାରଙ୍କ ପକ୍ଷରୁ ଏଣିକି ପ୍ରତି ମାସରେ ସମୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଆସନ୍ତା ୧୭ ତାରିଖରେ ‘ମୋ-ସରକାର’ କେତେଦୂର ସଫଳ ହୋଇଛି ଏବଂ ଏହା ଜରିଆରେ ଲୋକଙ୍କ ମତାମତ କ’ଣ ଆସୁଛି ସେନେଇ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ବିଭାଗୱାରୀ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Picture credit : google

 

ସୂଚନା ଅନୁଯାୟୀ, ଲୋକସେବା ଭବନର ତୃତୀୟ ମହଲା ସଭାକକ୍ଷରେ ଅନୁଷ୍ଠିତ ହେବାକୁ ଥିବା ସମୀକ୍ଷା ବୈଠକରେ ‘ମୋ-ସରକାର’ର କାର୍ଯ୍ୟାନ୍ବୟନର ସଫଳତା ମପାଯିବ। ଏହି ସମୟରେ କୃଷି, ସମବାୟ, ଜଳସମ୍ପଦ, ଗୃହ, ମହିଳା ଓ ଶିଶୁ କଲ୍ୟାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗର ବିଭିନ୍ନ ସେବାଗୁଡ଼ିକରେ କେତେ ଲୋକେ ଉପକୃତ ହୋଇଛନ୍ତି ଏବଂ କେଉଁମାନେ ପ୍ରଶାସନିକ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇଛନ୍ତି ଏବଂ ତାଙ୍କର ମତାମତକୁ ଗ୍ରହଣ କରି ପରବର୍ତ୍ତୀ ପନ୍ଥା ନିର୍ଦ୍ଧାରଣ କରାଯିବ। ଲୋକେ ଯେଭଳି ହାତ ପାଆନ୍ତାରେ ସମସ୍ତ ସରକାରୀ ସେବା ପାଇବେ ତାକୁ ନେଇ ସୂଚନା ଓ ପ୍ରଯୁକ୍ତି(ଆଇଟି) ବିଭାଗ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲଗୁଡିକ ସହଜ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟାନ୍ବୟନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତିଠାରୁ ଆରମ୍ଭ କରି, ବିବିଧ ପ୍ରମାଣପତ୍ର, କାଳିଆ-ବଳିଆ, କୃଷିଋଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଭଳି ଯୋଜନାରେ ଲୋକେ କେତେ ଉପକୃତ ହେଉଛନ୍ତି ତା’ର ବାସ୍ତବତା ଅନୁଧ୍ୟାନ କରାଯିବ। ଏହାସହିତ ବୈଠକରେ ରାଜ୍ୟର ରାଜସ୍ବ ଓ ବିକାଶମୁଖୀ ଯୋଜନାର ବାସ୍ତବ ରୂପାୟନ, ୨୦୧୯ ସାଧାରଣ ନିର୍ବାଚନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତିଗୁଡିକ କେଉଁ ବିଭାଗ କେତେଦୂର ପାଳନ କରିଛନ୍ତି ତାହାର ମଧ୍ୟ ସମୀକ୍ଷା କରାଯିବାକୁ ରହିଛି। ଏହାବ୍ୟତୀତ ମେକ୍ ଇନ୍ ଓଡ଼ିଶା-୨୦୨୨ କନକ୍ଲେଭରେ ଓଡ଼ିଶାକୁ ଆସିବାକୁ ଥିବା ପ୍ରାୟ ସାଢ଼େ ୧୦ଲକ୍ଷ କୋଟିର ନିବେଶ ମଧ୍ୟରୁ କେତେ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରକ୍ରିୟା ଭିତରେ ରହିଛି। କେଉଁ କମ୍ପାନୀ ଆଗ୍ରହ ପ୍ରକାଶ କରି ପଛଘୁଞ୍ଚା ଦେଉଛନ୍ତି ତା’ର ମଧ୍ୟ ସମୀକ୍ଷା କରାଯିବାକୁ ରହିଥିବା ବରି‌ଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି।

Leave A Reply

Your email address will not be published.