ମିଶନ ୨୪ ପାଇଁ ରଣନୀତି ଶକ୍ତି ପ୍ରଦର୍ଶନ: ୨୬ ବନାମ ୩୮

0 88

ନୂଆଦିଲ୍ଲୀ : ରଣାଙ୍ଗନରେ କିଏ କେଉଁ ପଟେ ରହି ଯୁଦ୍ଧ କରିବ ତାହା ସ୍ଥିର କରିବାକୁ ହେଉଛି ସମାନ୍ତରାଳ ବୈଠକ । ବିଜେପି ବିରୋଧୀ ନେତାମାନେ ଆଜିଠାରୁ ବେଙ୍ଗାଲୁରୁରେ ଏକାଠି ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ବସିବ ବିଜେପି ସହଯୋଗୀ ଦଳଙ୍କ ବୈଠକ । ଆଜି ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ ନେଇ ବୈଠକ ଚାଲିଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ୩୮ ଦଳକୁ ନେଇ ଏନ୍‌ଡିଏ ମଧ୍ୟ ଶକ୍ତି ପ୍ରଦର୍ଶନ କରିବ । ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ ପାଇଁ ଏକାଠି ହୋଇଛନ୍ତି ବିଜେପି ବିରୋଧୀ ୨୬ ଦଳ । ସହରର ଚାରିଆଡେ଼ ଛାଇ ଯାଇଛି ପୋଷ୍ଟର ଏବଂ ବ୍ୟାନର । ହୋଟେଲ୍‌ ତାଜ୍‌ରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ୟୁନାଇଟେଡ୍‌ ୱି ଷ୍ଟାଣ୍ଡ’ ।

ଦୁଇଦିନ ଧରି ହେବାକୁ ଥିବା ବୈଠକର ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନ୍‌ଫରେନ୍ସ, ଟିଡିପି, ସିପିଆଇଏମ୍‌ଏଲ, ଜେଏମ୍‌ଏମ୍‌, ଆରଏଲଡି, ଆରଏସ୍‌ପି, ଇଡିୟୁଏମଏଲ, କେରଳ କଂଗ୍ରେସ ଏମ୍‌, ବିଶିକେ, ଏମ୍‌.ଡିଏମ୍‌କେ, କେ.ଡିଏମ୍‌କେ, କେରଳ କଂଗ୍ରେସ ଜେ, ଫରୱାର୍ଡ ବ୍ଲକ୍‌ ଆଦି ଦଳ ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଚାରୋଟି ଏଜେଣ୍ଡା ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି । ୨୪ ନିର୍ବାଚନରେ ଏକାଠି ହୋଇ ଲଢ଼ିବା ସହମତି, ନିର୍ବାଚନରେ ଆସନ ବଣ୍ଟନରେ  ଫର୍ମୂଲା ନିର୍ଦ୍ଧାରଣ କରିବା, ଉପାର ନାଁ ପରିବର୍ତ୍ତନ କରାଯାଇ ମେଣ୍ଟର ନୂଆ ନାଁ ସ୍ଥିର କରିବା ଓ ଆଗାମୀ ମୌସୁମୀ ଅଧିବେଶନରେ କି କି ରଣନୀତି ରଖାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଅନ୍ୟପକ୍ଷରେ ଆସନ୍ତାକାଲି ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ ବା ଏନ୍‌ଡିଏର ବୈଠକ ବସିବ । ତେଣୁ ଶାସକ ମେଣ୍ଟର ମଧ୍ୟ ହେବ ଶକ୍ତି ପ୍ରଦର୍ଶନ । ବିରୋଧୀ ବୈଠକରେ ୨୬ ଦଳ ଯୋଗଦେଉଥିବା ବେଳେ ଏନ୍‌ଡିଏ ବୈଠକରେ ୩୮ ଦଳ ସାମିଲ ହେବେ ବୋଲି କହିଛନ୍ତି ବିଜେପି ନେତା ଜେପି ନଡ୍ଡା । ଦିଲ୍ଲୀର ହୋଟେଲ ଅଶୋକାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂଚନାଯୋଗ୍ୟ ଯେ, ୨୮ଟି ରାଜ୍ୟ ମଧ୍ୟରୁ ୧୦ଟିରେ ବିଜେପି ସରକାର ରହିଛି । ତେଣୁ ବିଜେପି ୨୪ ପାଇଁ କାଲି ତାର ପ୍ରାଥମିକ ଶକ୍ତି ପ୍ରଦର୍ଶନ କରିବ । ଏହାଛଡ଼ା ଆଉ କିଛି ଦଳ ଅଛନ୍ତି, ଯେଉଁମାନେ ନା ଏନ୍‌ଡିଏରେ କିମ୍ବା ଉପା ମେଣ୍ଟରେ ଅଛନ୍ତି । ତେଣୁ ଆସନ୍ତାକାଲି ଦେଶ ରାଜନୀତିରେ ଏକ ବଡ଼ ସମୀକରଣର ସ୍ପଷ୍ଟ ରୂପ ରହିବାର ସମ୍ଭାବନା ରହିଛି । ନେତୃତ୍ୱ ନେଉଛି କଂଗ୍ରେସ ।

Leave A Reply

Your email address will not be published.