୩୫୪୯ ପିଲା ପାଇଲେ ଓଡିଆ ଭାଷା ବୃତ୍ତି ପୁରସ୍କାର ନିଜ ସାମର୍ଥ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କର:ମୁଖ୍ୟମନ୍ତ୍ରୀ

3,549 children get Odia language proficiency award, strive to bring your potential to global level: Chief Minister

0 61

ଭୁବନେଶ୍ୱର,୧୬ା୧୧ : ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଗୁରୁବାର ଉଦ୍‌ଯାପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସ୍ଥାନୀୟ ୟୁନିଟ୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର । ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର । ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ୱରେ ସୁନାମ ଅର୍ଜନ କରିବ ।ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍‌ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍‌ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ । ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ପୁରା ବିଶ୍ୱାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ । ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ । ‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ । ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି । ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ୩୫୪୯ ଜଣ ପିଲାଙ୍କୁ ୫୦୦୦ ଟଙ୍କାର ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା ।ଏହି ବୃତି ରାଶି ଅନଲାଇନ୍‌ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା । ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହି ପାଂଚ ଜଣ ହେଲେ ବାଲେଶ୍ୱର ଏସ୍‌.ବି.ଏସ୍‌ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ । ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥାକେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍‌ ବୁକ୍‌ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ୫ଟି ସ୍କୁଲ ରୂପାନ୍ତର । ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ,ବିଭାଗୀୟ ସଚିବ ଅଶ୍ୱଥି ଏସ୍‌ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.