ସାମିଙ୍କ ନାଁରେ ଯୋଡ଼ି ହେଲା ୯ ରେକର୍ଡ

9 records were added to Sami's name

0 55

ମୁମ୍ବାଇ, ୧୬ା୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ବିଶ୍ୱକପ କ୍ରିକେଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଫାଇନାଲରେ ପହଞ୍ଚିଛି ଦଳ । ତେବେ ଏହି ମ୍ୟାଚ୍‌ ମନେ ରହିବ ଆହୁରି ଅନେକ କାରଣ ପାଇଁ । ଏହି ମ୍ୟାଚରେ ଭାଙ୍ଗିଛି ବହୁ ରେକର୍ଡ । ତିଆରି ହୋଇଛି ବହୁ କୀର୍ତ୍ତିମାନ । ବିଶ୍ୱକପରେ ୫୦ଟି ଛକା ମାରିବାରେ ରୋହିତ ଶର୍ମା ହୋଇଯାଇଛନ୍ତି ପ୍ରଥମ ବ୍ୟାଟର । ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ କୋହଲି । ବିଶ୍ୱକପର ଗୋଟିଏ ସଂସ୍କରଣରେ ସଚିନ ସର୍ବାଧିକ ୭ଥର ଅର୍ଦ୍ଧଶତକ ମାରିଥିବା ବେଳେ ତାକୁ ଭାଙ୍ଗିଛନ୍ତି ବିରାଟ । ସେହିପରି ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି ବିରାଟ । ଏଥିରେ ମଧ୍ୟ ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହି ସେମି ଫାଇନାଲ ମ୍ୟାଚଟି ବିରାଟଙ୍କ ସହିତ ବୋଲର ମହମ୍ମଦ ଶାମିଙ୍କ ପାଇଁ ସ୍ମରଣୀୟ ହୋଇରହିବ । ୯.୫ ଓଭରରେ ୫୭ ରନ୍‌ ଦେଇ ୭ ୱିକେଟ୍‌ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିବା ନିର୍ବାହ କରିଥିବା ଶାମି ନିଜ ନାଁରେ ଯୋଡ଼ିଛନ୍ତି ୯ଟି ରେକର୍ଡ । ଦିନିକିଆ ବିଶ୍ୱକପରେ ୫୦ଟି ୱିକେଟ୍‌ ନେବାରେ ମହମ୍ମଦ ସାମି ହେଉଛନ୍ତି ପ୍ରଥମ ଭାରତୀୟ ବୋଲର । ସେହିପରି ମୋଟାମୋଟି ଭାବେ ଏହି କ୍ଲବରେ ସାମିଲ ହେବାରେ ସେ ହେଉଛନ୍ତି ସପ୍ତମ ବୋଲର । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ଗ୍ରାଥ, ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ପାକିସ୍ତାନର ୱାସିମ ଆକ୍ରମ ଓ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏହି କ୍ଲବରେ ସାମିଲ ହୋଇଥିଲେ । ଦିନିକିଆ ବିଶ୍ୱକପ୍‌ କ୍ରିକେଟରେ ୫୦ଟି ୱିକେଟ୍‌ ନେବାରେ ଶାମି ପାଲଟି ଯାଇଛନ୍ତି ଦ୍ରୁତତମ ବୋଲର । ସେ ୧୭ଟି ଇନିଂସରୁ ୫୦ଟି ୱିକେଟ୍‌ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା । ସେ ୧୯ଟି ଇନିଂସରୁ ଏହି ରେକର୍ଡ ହାସଲ କରିଥିଲେ । ଶାମି ୧୭ଟି ଇନିଂସରୁ ୫୪ଟି ୱିକେଟ୍‌ ପାଇଛନ୍ତି । ବିଶ୍ୱକପରେ ନକ୍‌ଆଉଟ୍‌ ମ୍ୟାଚରେ ୭ଟି ୱିକେଟ୍‌ ନେଇ ନୂଆ ରେକର୍ଡ କରିଛନ୍ତି ମହମ୍ମଦ ଶାମି । ଏହି କ୍ଷେତ୍ରରେ ସେ ୪୮ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ କ୍ରିକେଟରେ ଗୋଟିଏ ମ୍ୟାଚରେ ପ୍ରଥମ ଭାରତୀୟ ବୋଲର ଭାବେ ଶାମି ସର୍ବାଧିକ ୭ଟି ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଷ୍ଟୁଆର୍ଟ ବିନ୍ନୀଙ୍କ ନାଁରେ ଥିଲା । ଦିନିକିଆ ବିଶ୍ୱକପ୍‌ କ୍ରିକେଟରେ ସର୍ବାଧିକ ଥର ୫ଟି ୱିକେଟ୍‌ ନେବାର ରେକର୍ଡ ମହମ୍ମଦ ଶାମିଙ୍କ ନାଁରେ ଯୋଡ଼ି ହୋଇଯାଇଛି । ସେ ୪ଥର ୫ଟି ୱିକେଟ୍‌ ନେଇଛନ୍ତି । କେବଳ ଚଳିତ ବିଶ୍ୱକପରେ ସେ ୩ ଥର ୫ଟି ୱିକେଟ୍‌ ନେଇଛନ୍ତି । ଦିନିକିଆ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି ମହମ୍ମଦ ଶାମି । ଏହି କ୍ଷେତ୍ରରେ ସେ ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କୁ ଅତିକ୍ରମ କରିଛନ୍ତି । ୨୦୧୧ ବିଶ୍ୱକପରେ ଜାହିର ଖାନ ୨୧ଟି ୱିକେଟ ନେଇଥିଲେ । ଦିନିକିଆ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମହମ୍ମଦ ଶାମିଙ୍କ ବୋଲିଂ ଫିଗର ନୂଆ ରେକର୍ଡ ସୃଷ୍ଟି କରିଛି । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯.୫ ଓଭରରେ ୫୭ ରନ୍‌ ଦେଇ ୭ ୱିକେଟ୍‌ ନେଇଥିଲେ । ଏହା ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ସୋଏବ ଅଖତରଙ୍କ ନାଁରେ ଥିଲା । ୨୦୦୨ ମସିହା ଏପ୍ରିଲ ମାସରେ କରାଚିରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯ ଓଭରରେ ୧୬ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ । ତା’ ମଧ୍ୟରେ ଗୋଟିଏ ମେଡେନ୍‌ ଓଭର ଥିଲା ।

Leave A Reply

Your email address will not be published.