ଓଡ଼ିଶା ପାଭିଲିୟନରେ ପ୍ରତିବିମ୍ବିତ ହେଉଛି ମହିଳା ସଶକ୍ତିକରଣର ଚିତ

The symbol of women empowerment is reflected in Odisha Pavilion

0 124

ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ମହିଳାମାନଙ୍କୁ ସ୍ୱରୋଜଗାରୀ ଓ ସ୍ୱାବଲମ୍ବୀ କରିବା ସହିତ ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ପରିଚୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୦୮ ମସିହାରେ ଗଠିତ ମିଶନ ଶକ୍ତି ବୁଧବାର ଏକ ମହାଦ୍ରୁମରେ ପରିଣତ ହୋଇଛି । ମିଶନ ଶକ୍ତି ଅଧୀନରେ ସୁସଂଗଠିତ ୬ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ସହିତ ସେମାନଙ୍କ ପରିବାର ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ କ୍ରମେ ରାଜ୍ୟର ମହିଳାମାନେ କେବଳ ସଶକ୍ତ ହୋଇନାହାନ୍ତି, ବରଂ ବୁଧବାର ସେମାନେ ମହିଳା ଉଦ୍ୟୋଗୀରେ ପରିଣତ ହୋଇଛନ୍ତି । ଯାହାର ପ୍ରତିଫଳନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ଦେଖିବାକୁ ମିଳିଛି । ପାଭିଲିୟନର ୫ ନମ୍ବର ଷ୍ଟଲରେ ଜଗତସିଂହପୁର ଜିଲ୍ଲାର ପ୍ରଗତି କାଇଁଚ ଉତ୍ପାଦକ ଗୋଷ୍ଠୀ ଦ୍ୱାରା କାଇଞ୍ଚରୁ ପ୍ରସ୍ତୁତ ବିଭିନ୍ନ ଗୃହସଜ୍ଜା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଡବା/ବାକ୍ସ ଏବଂ ବାଲେଶ୍ୱର ଜିଲ୍ଲାର ବିଜୟିନୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଝୋଟରୁ ପ୍ରସ୍ତୁତ ଲାପଟପ ବ୍ୟାଗ, ମହିଳାମାନଙ୍କ ପାଇଁ ସୁନ୍ଦର ଡିଜାଇନର ଭ୍ୟାନିଟି ବ୍ୟାଗ ଓ ମନିପର୍ସ ମିଳୁଥିବା ବେଳେ ୬ ନମ୍ବର ଷ୍ଟଲରେ ମୟୂରଭଞ୍ଜ ଜିଲ୍ଲାର ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ରେଶମ ସୂତାରୁ ପ୍ରସ୍ତୁତ ଅଳଙ୍କାର ଏବଂ ମାଦଅନ୍ଧାରୀବୁଢୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ଆକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଡବା/ବାକ୍ସ ଆଦି ମିଳୁଛି । ଅନୁରୂପ ଭାବେ, ଓଡିଶା ପ୍ରସିଦ୍ଧ ସୁନ୍ଦର ସୁନ୍ଦର ଡୋକ୍ରା କାରୁକାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିବା ମୟୂରଭଞ୍ଜ ଜିଲ୍ଲାର ଜୟ ମାଦଦୁର୍ଗା ଉତ୍ପାଦକ ଗୋଷ୍ଠୀ ଏବଂ ଟସର ହସ୍ତତନ୍ତ ଓ ବୟନ ପାଇଁ ପ୍ରସିଦ୍ଧ ଯାଜପୁର ଜିଲ୍ଲାର ଓମ୍‌ ଶାନ୍ତି ଟସର ହସ୍ତତନ୍ତ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ପ୍ରସ୍ତୁତ ଟସର ବସ୍ତ୍ର ୭ ନମ୍ବର ଷ୍ଟଲରେ ମିଳୁଥିବା ବେଳେ ୮ ନମ୍ବର ଷ୍ଟଲରେ ବଲାଙ୍ଗୀର ଜିଲ୍ଲା ପ୍ରଗତି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ଏବଂ ନବରଙ୍ଗପୁରର ମାଦବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜନଜାତି ଅଳଙ୍କାର ମିଳୁଛି । ପାଭିଲିୟନର ୯ ନମ୍ବର ଷ୍ଟଲରେ କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ହଳଦୀ, ସୋରିଷ, ମସଲା ଆଦି ଜୈବିକ କୃଷିଜାତ ପଦାର୍ଥର ପ୍ରକ୍ରିୟାକୃତ ସାମଗ୍ରୀ ଜିଲ୍ଲାର ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ଉପଲବ୍ଧ କରୁଛନ୍ତି । ମିଶନ ଶକ୍ତିର ଷ୍ଟଲଗୁଡିକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କ ପାରମ୍ପାରିକ ପୋଷାକରେ ରହୁଥିବାରୁ ଦର୍ଶକମାନେ ସେମାନଙ୍କ ଉତ୍ପାଦ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ୨୧ ତାରିଖ ସୁଦ୍ଧା ପାଭିଲିୟନର ୫ଟି ମିଶନ ଶକ୍ତି ଷ୍ଟଲ ୮୦ ହଜାର ଟଙ୍କାର ବ୍ୟବସାୟ କରିଛି । ୧୪ ତାରିଖରୁ ୨୧ ତାରିଖ ମଧ୍ୟରେ ଓଡିଶା ପାଭିଲିୟନକୁ ପାଖାପାଖି ୧ ଲକ୍ଷ ଲୋକ ଆସିଥିବାବେଳେ ୩୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.