ସାକାର ହେଉଛି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଲକ୍ଷ୍ୟ

Achieving the goal of 'Healthy Odisha, Happy Odisha'

0 46

ଭୁବନେଶ୍ୱର, ୩୦ା୧୧ : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଗୁରୁବାର ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫-ଟି ଉପକ୍ରମରେ ବିଭିନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି । ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି । ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି । ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍‌ ମଡେଲ୍‌ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି “ସୁସ୍ଥ ଓଡିଶା ସୁଖୀ ଓଡିଶା’ । ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍‌ସିବି ମେଡିକାଲ୍‌ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ କାମ •ଲିଛି । ନୂଆ ନୂଆ ମେଡିକାଲ କଲେଜ୍‌ ଖୋଲୁଛି । ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି । ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମ•ରୀ ପଦବୀ ପୂରଣ ହେଉଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି । ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’ । ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି •ଲିବୁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଥିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଆଜି ଆମ ରାଜ୍ୟ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟୟ ମେଲେରିଆ ଓ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ମଧ୍ୟ ଆମେ ଆଗୁଆ ରହିଛୁ । ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଦେଶରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ଓ ପ୍ରତି ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ଆମେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବଢୁଛୁ । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନଲାଇନରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ।

Leave A Reply

Your email address will not be published.