ସିିଭିଲ ସର୍ଭିସ ପରୀକ୍ଷା ବୟସ ସୀମା ୩୮ବର୍ଷକୁ ବୃଦ୍ଧି

Civil service examination age limit increased to 38 years

0 36

ଭୁବନେଶ୍ୱର,୩୦ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସଭା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ବୟସସୀମା ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସସୀମା ୩୨ ବର୍ଷ ଥିବା ବେଳେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇପାରିବେ। ରାଜ୍ୟ ସରକାର ୨୦୨୪ ବର୍ଷରେ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ଜାରି ହେବାକୁ ଥିବା ବିଜ୍ଞାପନ ନିମନ୍ତେ ସର୍ବୋଚ୍ଚ ବୟସୀମା ୩୮ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ/ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହୋଇଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସେହିପରି ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ଏହାବ୍ୟତୀତ ୯୧ଟି ନୂତନ ସହକାରୀ ନିର୍ବାହୀଯନ୍ତ୍ରୀ ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହାଫଳରେ ନିର୍ବାହୀଯନ୍ତ୍ରୀଙ୍କ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୩୧୩ରୁ ୪୦୪କୁ ଓ କନିଷ୍ଠଯନ୍ତ୍ରୀ ପଦବୀ ସଂଖ୍ୟା ୪୨୬ରୁ ୭୯୧କୁ ବୃଦ୍ଧି ପାଇବ। ସେହିପରି ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଳିକ ହେଲଥ୍‌ (ଆଇଆଇପିଏଚ୍‌)ପ୍ରତିଷ୍ଠା ପାଇଁ ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆକୁ ମାଗଣାରେ ୫ ଏକର ଜମି ଦେବା ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଜମିର ଦେୟ ଇଡକୋ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରିଶୋଧ କରିବ। ଏହି ଆଇଆଇପିଏଚ୍‌ ପ୍ରତିଷ୍ଠା ହେବା ଦ୍ୱାରା ଉଚ୍ଚମାନର ଗବେଷଣା ସୁଯୋଗ ସୃଷ୍ଟି ହେବା ସହ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବା ଲକ୍ଷ୍ୟ ରଖାଯାଇଛି। ସେହିପରି ଆଗ୍ନିକ ଓ ଆଗ୍ନିକ ଗାଡି ଚାଳକ ଚୟନ ପାଇଁ ହେଉଥିବା ଲିଖିତ ପରୀକ୍ଷାରେ ଅଧିକ ନମ୍ବର ରଖୁଥିବା ପ୍ରାର୍ଥୀମାନେ ଶାରୀରିକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷାରେ ଯୋଗ୍ୟତା ହାସଲ କରିପାରୁନଥିବାରୁ ବିଜ୍ଞପ୍ତି ଅନୁଯାୟୀ ଖାଲି ପଦବୀ ପୂରଣ ହୋଇପାରୁନାହିଁ। ତେଣୁ ଓଡିଶା ଅଗ୍ନିଶମ ସେବା (ଗ ବର୍ଗର ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରୀ ସର୍ତ୍ତ) ନିୟମାବଳୀ ୨୦୨୧ ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଫଳରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଖାଲିଥିବା ପଦବୀ ସଂଖ୍ୟାର ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକାଯିବ। ସେହିପରି ୨ଶହ ଇଲେକ୍ଟ୍ରି ବସ୍‌ ଚଳାଇବାକୁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୨୦୦ଟି ଇଭି ଏସି ବସ୍‌ କ୍ରୟ ଓ ଏହାର ସୁପରିଚାଳନା ପାଇଁ ଜେବିଏମି ଇକୋ ଲାଇଫ୍‌ ସହିତ ହେବାକୁ ଥିବା ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିପାଇଁ ୯୩୩ କୋଟି ୨୬ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପୁରୀ, କଟକ ଓ ଭୁବନେଶ୍ୱରରେ କ୍ରୁଟ୍‌ ପକ୍ଷରୁ ୩୦୫ ଟି ମୋ ବସ୍‌ ଏବଂ ରାଉରକେଲାରେ ୧୦୦ଟି ମୋ ବସ୍‌ ଚଳାଚଳ କରୁଛି। ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ·ଲିବ। ପଞ୍ଚାୟତରେ ବୈଠକ ହେବ। ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ। ଭିଡିଓ ଫିଲ୍ମ ଦେଖାଯିବ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କାଖର୍ଚ୍ଚ ହେବ। ସହରାଞ୍ଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Leave A Reply

Your email address will not be published.