ଶ୍ରୀମନ୍ଦିରରେ ନବାଙ୍କ ନୀତି

0 85

ପୁରୀ, ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ନବାଙ୍କ ନୀତି ସମ୍ପନ୍ନ ହୋଇଛି । ଦ୍ଵିପ୍ରହର ଧୂପ ଶେଷ ହେବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ଯୁଦ୍ଧ ମେଳନ ଯାତ୍ରା ପାଇଁ ବଡଦାଣ୍ଡ ଦେଇ ଛୋଟରାୟପୁର ବାଲିବେଦୀ ଉପରକୁ ବିଜେ କରିଥିଲେ । ସେଠାରେ ଗୌଡମାନଙ୍କ
ଦ୍ୱାରା ଦୁଧଭାର ପଇଠ କରାଯାଇଥିଲା । ମହାଭୋଇ ସେବକମାନେ ଘଣ୍ଟ, ଛତା ଓ କାହାଳୀ ସହ ଦୁଧଭାର ନେଇଥିଲେ । ଦୁଧଭାର ଗୁଡ଼ିକୁ ନାଟମନ୍ଦିର ସମ୍ମୁଖରେ ରଖାଯାଇଥିଲା । ପରେ ରାମକୃଷ୍ଣ ଲକ୍ଷ୍ମୀମନ୍ଦିରର ଖଟ ଉପରେ ବିଜେ କରିଥିଲେ । ସେଠାରେ ପ୍ରସାଦ ଲାଗି ଓ ବନ୍ଦାପନା ପରେ ଠାକୁର ବାହୁଡା ବିଜେ ହୋଇ ଦକ୍ଷିଣୀଘରକୁ ଫେରିଥିଲେ । ସନ୍ଧ୍ୟାଆଳତୀ ଶେଷ ହେବା ପରେ ଚାଉଳ ମେଲାଣ ହୋଇ ସିଂହଦ୍ୱାର ଚକଡ଼ା ଉପରେ ପାହାଡ଼ା ପଡିଥିଲା । ସେଠାରେ ବାଘମୁହାଁ ବାନ୍ଧି ପ୍ରଧାନ ଭୋଇ ତିନିଥାଳିରେ ୫ମାଣ ଲେଖାଏଁ ଚାଉଳ ମାପିଥିଲେ । କୋଠଭୋଗ ଯୋଗାଣିଆ ମଧ୍ୟ ବାଘମୁହାଁବାନ୍ଧି ତଳିଚ୍ଛ ପଟୁଆରରେ ଘଣ୍ଟଛତା କାହାଳୀ ସହ ବଡଦେଉଳକୁ ପରିକ୍ରମା କରିବା ପୂର୍ବକ ଇନ୍ଦ୍ରାଣୀ ବେଢାରେ ଚାଉଳ ରଖିଥିଲେ । ନବାଙ୍କ ଅବସରରେ ଶ୍ରୀଜିଉମାନଙ୍କର ଫୁଲ ମେଲାଣ ନୀତି ମଧ୍ୟ ପାରମ୍ପରିକ ବିଧି ଅନୁଯାୟୀ ସମ୍ପନ୍ନ ହୋଇଥିଲା ।

 

Leave A Reply

Your email address will not be published.