ନାଳ ପାଣି ମେଣ୍ଟାଉଛି ଲକ୍ଷ୍ମୀପୁରବାସୀଙ୍କ ଶୋଷ

0 40

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଲକ୍ଷ୍ମୀପୁର ଗ୍ରାମରେ ସ୍ୱାଧୀନତାର ୭୭ ତମ ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମବାସୀଙ୍କୁ ମିଳିନି ମୌଳିକ ସୁବିଧା । ବର୍ଷ ବର୍ଷ ଧରି ଲକ୍ଷ୍ମୀପୁର ଲୋକେ ପିଇବା ପାଣି ପାଇଁ ଡହଳବିକଳ ଓ ହନ୍ତସନ୍ତ ହେବା ସହ ବହୁ ଦୁଃଖ କଷ୍ଟ ଭୋଗ କରି ଆସୁଛନ୍ତି । ବର୍ତ୍ତମାନର ଶୀତ ଦିନରେ ଗଜପତି ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଓ ବନ ପାହାଡ଼ ଘେରା ଏହି ଲକ୍ଷ୍ମୀପୁରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଲୋକେ ସନ୍ଧ୍ୟା ପୂର୍ବରୁ  ଶୀତର ପ୍ରକୋପରେ ଘରୁ ବାହାରି ପାରୁନାହାନ୍ତି । ତଥାପି ଏଭଳି ଶୀତ ଦିନରେ ମଧ୍ୟ ଲକ୍ଷ୍ମୀପୁର ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି । ଗ୍ରାମର ମହିଳାମାନେ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ସୁଦ୍ଧା ହାଣ୍ଡିଏ ପାଣି ପାଇଁ ବଣ ପାହାଡ଼ ଘେରା ଅଞ୍ଚଳରେ ୩ କିମିରୁ ଅଧିକ ରାସ୍ତା ପାଦ ଚଲାରେ ଯାଇ ପିଇବା ପାଣି ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି । ଘଟଣାରୁ ପ୍ରକାଶ, କେବଳ ଗଜପତି ଜିଲ୍ଲା ନୁହେଁ ପ୍ରାୟ ସମସ୍ତ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆସିଲେ ଜଳ ସମସ୍ୟା ଦେଖାଦେଇଥାଏ । ମାତ୍ର ଶୀତଦିନରେ ମଧ୍ୟ ପାନୀୟ ଜଳ ସମସ୍ୟା ଆଶ୍ଚଯ୍ୟ ଲାଗିଲେ ମଧ୍ୟ ସତ । ଖରା, ବର୍ଷା ଓ ଶୀତ ବର୍ଷ ସାରା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ସଦର ପଞ୍ଚାୟତର ଲକ୍ଷ୍ମୀପୁର କଲୋନୀରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାଣି ଟୋପାଏ ପାଇଁ ଡହଳ ବିକଳ
ହେଉଛନ୍ତି । ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ଲୋକେ ପଞ୍ଚାୟତ ଠାରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀପୁର କଲୋନୀ ରାୟଗଡ ବୃକ୍ କାର୍ଯ୍ୟାଳୟ ଠାରୁ ୧କିମି ଦୂରରେ ରହିଛି । ଏହି ଗାଁରେ ପ୍ରାୟ ୮୦ ପରିବାର ରହୁଥିବା ବେଳେ ଲୋକସଂଖ୍ୟା ପ୍ରାୟ ୪ଶହ । ଗାଁରେ ତିନିଟି ନଳକୂ ରହିଛି । ଦୁଇଟି ଅଚଳ ହୋଇ ପଡ଼ିଥିବା ବେଳେ ଗୋଟିଏ ସଚଳ ରହିଛି । ଅଳ୍ପ କିଛି ପାଣି ଆସିବା ପରେ ଗୋଳି ପାଣି ବାହାରୁଛି । ପ୍ରତିଦିନ ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ଗାଁର ମହିଳାମାନେ ପ୍ରାୟ ଦୁଇ କିମି ଦୂରରେ ଥିବା ଏକ ନାଳରୁ ପାଣି ସଂଗ୍ରହ କରୁଛନ୍ତି । ଏହାକୁ ପିଇବା ଦ୍ୱାରା ଗାଁର ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଛନ୍ତି । ଅନ୍ୟପକ୍ଷରେ ବିଶେଷ କରି ପ୍ରାୟ ୩ଶହ ସ୍କୁଲ ପିଲା
ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ପାଣି ମିଳୁନଥିବାରୁ ଏହି ନାଳ ପାଣି ହିଁ ସେମାନଙ୍କ ଭରଷା ହୋଇଛି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି, ପାଣି ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକମାନେ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏନେଇ ବ୍ଲକ୍ ଅଧକ୍ଷା ପୂର୍ଣ୍ଣବାସୀ ନାୟକଙ୍କୁ ପରିବାରେ ଗାଁର ଜଳକଷ୍ଟ ସଂପର୍କରେ ତାଙ୍କ ନିକଟରେ ଖବର ରହିଛି । ବିଡିଓଙ୍କ ସହ ଆଲୋଚନା କରି କିଭଳି ଅତିଶୀଘ୍ର ଏହାର ସମାଧାନ ହେବ ସେଥୁପ୍ରତି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ବିଡିଓ ସୁଧୀର କୁମାର ସିଂ ଘଟଣା କିଛି ଦିନ ତଳେ ଜାଣିବାକୁ ପାଇଛି । ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

 

Leave A Reply

Your email address will not be published.