ରାଫେଲ ଡର ଘାରିଛି କଂଗ୍ରେସକୁ

0 82

ନିଜ ଦ୍ୱାରା ପ୍ରସ୍ତୁତ କୃଷିବିଲ୍ ବିଧାନସଭାରେ ପାରିତ କରିବେ କଂଗ୍ରେସ ଶାସିତ ରାଜ୍ୟ

ଗତ ମାସରେ ସଂସଦରେ ପାରିତ ହୋଇଥିବା କୃଷି ସଂସ୍କାର ଆଇନକୁ ନେଇ କଂଗ୍ରେସ ତା’ର ବିରୋଧାଭାଷ ଜାରି ରଖିଛି । କଂଗ୍ରେସ ନେତା ରାହୁଳ ଗାନ୍ଧି ଚଳିତ ସପ୍ତାହରେ ଏହି ଆଇନ୍କୁ ବିରୋଧ କରି ପଞ୍ଜାବ ଓ ହରିଆଣାରେ ଟ୍ରାକ୍ଟର ରାଲି ବାହାର କରିଥିଲେ । ପ୍ରବଳ ହୋହାଲ୍ଲା ଓ ହଙ୍ଗାମା ମଧ୍ୟରେ ଏହି ବିଲ୍ ସଂସଦର ଉଭୟ ସଦନରେ ପାରିତ ହୋଇଥିଲା । ରାଜ୍ୟସଭାରେ ଏହି ବିଲ୍କୁ ବିରୋଧ କରିବା ସମୟରେ ଭୁଲ୍ ଆଚରଣ କାରଣରୁ ୮ ସାଂସଦକୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଗତ ସୋମବାର ରାହୁଳ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ଗତ ୬ ବର୍ଷ ହେବ ଏହି ସରକାରଙ୍କ କୌଣସି ନୀତି ଗରିବଙ୍କୁ ଫାଇଦା ଦେଇନାହିଁ । କରୋନା ଭଳି ମହାମାରୀ ସମୟରେ ସାରା ଭାରତରେ ଲୋକେ ଦୁର୍ଦ୍ଦିନ ଦେଇ ଗତି କରୁଥିବାବେଳେ ତିନୋଟି କୃଷିବିଲ୍କୁ ପାରିତ କରିବାରେ ମୋଦି ସରକାର ଏତେ ଚଞ୍ଚକତା କାହିଁକି ପ୍ରଦର୍ଶନ କଲେ ତାହାକୁ ନେଇ ରାହୁଳ ପ୍ରଶ୍ନ ଉଠାଇଛନ୍ତି । ମୋଦି ସରକାର କେବଳ ଏଥିପାଇଁ ଏହାକୁ ପାରିତ କରିଛନ୍ତି କାରଣ କୃଷକମାନେ ସରକାରଙ୍କ ବିରୋଧରେ ଆୱାଜ ଉଠାଇପାରିବେ ନାହିଁ । ସେହିପରି ଜିଏସ୍ଟି ଓ ନୋଟ୍ବନ୍ଦୀକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଳ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ଶାସିତ ରାଜ୍ୟଙ୍କୁ ଦଳ କହିଛି କି ସେମାନେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ବିଧେୟକ ବିଲ୍କୁ ପାସ୍ କରନ୍ତୁ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏହି ପ୍ରସ୍ତାବିତ ବିଧେୟକର ପ୍ରସ୍ତୁତି ଦାୟିତ୍ୱରେ ରହିଛି । ଏପରି ସମୟରେ ଯେତେବେଳେ ରାଜନୈତିକ ବିରୋଧାଭାଷ ତୀବ୍ର ରହିଛି ଓ କଂଗ୍ରେସ ଶାସିତ ରାଜ୍ୟ ନିଜଦ୍ୱାରା ପ୍ରସ୍ତୁତ କୃଷି ବିଧେୟକ ଆଣିବାକୁ ଯାଉଛନ୍ତି ସେତେବେଳେ ପାର୍ଟି ସୁପ୍ରିମ୍କୋର୍ଟ ଯିବାକୁ ଚାହୁଁନାହିଁ । କାରଣ ସୁପ୍ରିମ୍କୋର୍ଟରେ ମାମଲା ଚାଲିଲେ ତାହା ପୁଣି ନୂଆ ମୋଡ଼ ନେଇପାରେ । ତେବେ କଂଗ୍ରେସ କହିଛି କି କୋର୍ଟକୁ ଯିବା ପାଇଁ ଦଳ ନିକଟରେ ଅଧିକାର ରହିଛି । କିନ୍ତୁ ସଠିକ୍ ସମୟରେ ତାହା ଉପରେ ନିର୍ଣ୍ଣୟ କରାଯିବ । ଅନ୍ୟ ଜଣେ କଂଗ୍ରେସ ନେତା କହିଛନ୍ତି କି ଏହାକୁ ରାଜନୈତିକ ଆନ୍ଦୋଳନର ରୂପ ଦେଇ କିଭଳି ବ୍ୟାପକ କରାଯିବ ତାହା ଉପରେ ଧ୍ୟାନ ଦିଆଯାଉଛି । ପାର୍ଟି ନେତାମାନେ ଭାବୁଛନ୍ତି କି କଂଗ୍ରେସ କୋର୍ଟକୁ ଯାଉଛି ତେବେ ରାଜ୍ୟ ବିଧାନସଭାରେ କଂଗ୍ରେସ ଯେଉଁ ନୂଆ କୃଷି ବିଧେୟକ ଆଇନ୍ ଆଣିବ ତାହା ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ମାମଲା କୋର୍ଟରେ ବିଚାରାଧୀନ ହେବ । କଂଗ୍ରେସର ଅନ୍ୟ ଜଣେ ନେତାଙ୍କ କହିବାନୁଯାୟୀ ପ୍ରତ୍ୟେକଟି ବିଲ୍ ଆଇନ୍ରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ସହମତି ଜରୁରୀ । ତେବେ ଯଦି କୋର୍ଟରେ ମାମଲା ଚାଲେ ତେବେ ରାଜ୍ୟ ବିଧାନସଭାରେ ପାରିତ ନୂଆ ବିଧେୟକକୁ ରାଷ୍ଟ୍ରପତି ମଞ୍ଜୁରୀ ଦେବାରେ କୋର୍ଟର ମାମଲା ଚାଲିଥିବା ଉଦାହରଣ ଦେଇପାରନ୍ତି । କୋର୍ଟର ଫଇସଲା ଉପରେ କଂଗ୍ରେସର ଭରସା ନାହିଁ । କଂଗ୍ରେସ ନେତାଜଣକ କହିଛନ୍ତି କି ଯଦି ସୁପ୍ରିମ୍କୋର୍ଟର ଫଇସଲା ସରକାରଙ୍କ ପକ୍ଷରେ ଆସିଥାଏ ତେବେ ଆମର ସବୁ ଯୋଜନା ପଣ୍ଡ ହୋଇଯିବ ଓ ପରେ ଏହାକୁ ନେଇ ଆନ୍ଦୋଳନ କରିବା ବି ମୁସ୍କିଲ୍ ହୋଇଯିବ । ରାଫେଲ ମାମଲାରେ ସମାନ ଦଶା କଂଗ୍ରେସ ଭୋଗିସାରିଛି । ସୂଚନାଥାଉକି ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ରାଫେଲ୍ ଯୁଦ୍ଧବାହୀ ବିମାନ କିଣାକୁ ନେଇ ଭ୍ରଷ୍ଟାଚାର ହୋଇଥିବା ଆରୋପ ଲଗାଇ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସୁପ୍ରିମ୍କୋର୍ଟ ସରକାରଙ୍କୁ ଏହି ମାମଲାରେ କ୍ଲିନ୍ଚିଟ୍ ଦେଇଥିଲେ ।

Leave A Reply

Your email address will not be published.