‘ଦିଲ୍ଲୀର କିଛି ଲୋକ ମୋତେ ଗଣତନ୍ତ୍ର ଶିଖାଉଛନ୍ତି’

0 67

ନୂଆଦିଲ୍ଲୀ, ୨୬ ।୧୨: ଦିଲ୍ଲୀରେ ଥିବା କିଛି ଲୋକ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ନିକଟରେ ରାହୁଲ ଗାନ୍ଧି ଦେଶରେ ଗଣତନ୍ତ୍ର ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଆଜି ରାହୁଲଙ୍କ ନାଁ ନନେଇ ମୋଦି ତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି । ଦେଶର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ଲଞ୍ଚ କରିବା ପରେ ମୋଦି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି, ଦିଲ୍ଲୀରେ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ସର୍ବଦା ମୋତେ ଅପମାନ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି । ହେଲେ ମୁଁ ସେମାନଙ୍କୁ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହୋଇଥିବା ଡିଡିସି ନିର୍ବାଚନକୁ ଗଣତନ୍ତ୍ରର ଉଦାହରଣ ଭାବେ ସେମାନଙ୍କୁ ଦେଖାଇବାକୁ ଚାହିଁବି । କିଛି ରାଜନୀତି ଗୋଷ୍ଠୀ ସବୁବେଳେ ଗଣତନ୍ତ୍ର କଥା କହୁଛନ୍ତି । ହେଲେ ସେମାନଙ୍କ ଅହଂକାର ଓ ଦୋମୁହାଁ ନୀତିକୁ ମଧ୍ୟ ସମସ୍ତେ ଦେଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ପୁଡୁଚେରୀରେ କ୍ଷମତାରେ ଥିବା ଦଳ ସେଠାରେ ପୌର ନିର୍ବାଚନ କରୁନାହିଁ । କିନ୍ତୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବାର ଗୋଟିଏ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ନିକଟରେ ଶେଷ ହୋଇଥିବା ଡିଡିସି ନିର୍ବାଚନ ଗଣତନ୍ତ୍ରର ମୂଳଦୁଆକୁ ଅଧିକ ସୁଦୃଢ଼ କରିଛି । ଜମ୍ମୁ-କଶ୍ମୀରର ଲୋକମାନେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଡିଡିସି ନିର୍ବାଚନ ବେଳେ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବକମାନେ ପୁଲିଂ ବୁଥକୁ ଯାଇ ଭୋଟ ଦେଇଥିବା ମୁଁ ଦେଖିଛି । ଜମ୍ମୁ-କଶ୍ମୀରର ଲୋକମାନେ ଡିଡିସି ନିର୍ବାଚନରେ ଭାଗ ନେଇ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବା ମୋଦି କହିଛନ୍ତି । ଅନ୍ୟପକ୍ଷରେ ଜାମ୍ମୁ-କାଶ୍ମୀରର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ୍ ଭାରତ ପିଏମ୍-ଜୟ ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ । “ସୋସିଓ-ଇକୋନୋମିକ୍ ଆଣ୍ଡ୍ କାଷ୍ଟ୍ ସେନ୍ସସ୍’ (ଏସ୍ଇସିସି)୨୦୧୧ ଆଧାରରେ ଏହାଦ୍ୱାରା ୨୧ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏହି ଯୋଜନା ମାଧ୍ୟମରେ ଜାମ୍ମୁ-କାଶ୍ମୀର ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ସୁବିଧା ଯୋଗାଇ ଦେବ । ପିଏମ୍-ଜୟ ଅସ୍ତ୍ରୋପଚାର ପାଇଁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବ । ଦେଶବ୍ୟାପୀ ପିଏମ୍-ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ଗୁଡ଼ିକ ଏହି ସେବା ପାଇହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ ଜାମ୍ମୁ-କାଶ୍ମୀର୍ ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତତ୍ୱକୁ ପ୍ରଶଂସା କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୦ ଲକ୍ଷ ୭୦ ହଜାର କୃଷକ ଉପକୃତ ହୋଇଛନ୍ତି । ଗତବର୍ଷ ଅଗଷ୍ଟ ମାସରୁ ଜମ୍ମୁ ଓ କଶ୍ମୀରରେ ବିକାଶର ନୂତନ ତରଙ୍ଗ ସୃଷ୍ଟି ହୋଇଛି । ଏଥିସହ ଉପରାଜ୍ୟପାଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ବିକାଶ ନିମନ୍ତେ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ ଓ କଶ୍ମୀର ପାଇଁ ଆଜିର ଦିନଟି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଅଟଳବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀର ଦିନକ ପରେ ଆୟୁଷ୍ମାନ୍ ଭାରତ ପିଏମ୍-ଜୟ ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଉଛି । କଶ୍ମୀର ନିମନ୍ତେ ବାଜପେୟୀଙ୍କ ଭାବାବେଗ ସମ୍ପର୍କରେ ସମସ୍ତେ ଜାଣନ୍ତି । ଏହି ଯୋଜନା ସବୁଆଡ଼େ ଲାଗୁ ହୋଇଛି । ସବୁଆଡ଼େ ଏହି ଯୋଜନା କେବଳ ଗରିବମାନଙ୍କ ନିମନ୍ତେ ଉଦ୍ଦଷ୍ଟ । କିନ୍ତୁ, ଜମ୍ମୁ ଓ କଶ୍ମୀରର ସମସ୍ତ ବ୍ୟକ୍ତି ଏହି ଯୋଜନାରୁ ସୁଫଳ ପାଇବେ ବୋଲି ଶାହ କହିଛନ୍ତି ।

Leave A Reply

Your email address will not be published.