“ଚାଷୀଙ୍କ ଆତ୍ମନିର୍ଭର ବିନା ଦେଶ ଆତ୍ମନିର୍ଭର ହୋଇପାରିବ ନାହିଁ’

0 72

ନୂଆଦିଲ୍ଲୀ ୨୮/୧୨ : କୃଷି ଆଇନକୁ ବିରୋଧ କରି ଚାଷୀମାନେ ଗତ ୩୩ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦାଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, “ଚାଷୀମାନଙ୍କ ଆତ୍ମନିର୍ଭର ବିନା ଦେଶ କେବେ ବି ଆତ୍ମନିର୍ଭର ହୋଇପାରିବ ନାହିଁ । ଚାଷୀ ବିରୋଧ ଆଇନ ଫେରାଇ ନିଅନ୍ତୁ । କୃଷକ ବଞ୍ଚାଅ, ଦେଶ ବଞ୍ଚାଅ’ । କୃଷି ଆଇନ ବିରୋଧରେ କଂଗ୍ରେସ ଖୋଲାଖୋଲି ଭାବେ ବିଦ୍ରୋହ ପ୍ରଦର୍ଶନ କରୁନଥିଲେ ମଧ୍ୟ କଂଗ୍ରେସ ନେତାମାନେ ଚାଷୀଙ୍କୁ ପୁରାପୁରି ଭାବେ ସମର୍ଥନ କରୁଛନ୍ତି । ରାହୁଲ ଗାନ୍ଧୀ ଚାଷୀମାନଙ୍କ ଉଦ୍ଦେଶ୍ୟ କୃଷି ଆଇନ ବିରୋଧରେ କରିଥିବା ଟ୍ୱିଟ୍ରୁ ତାହା ସ୍ପଷ୍ଟ ଅନୁମାନ କରାଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଅଛନ୍ତି । ତେବେ ରାହୁଲ ବର୍ତ୍ତମାନ ଇଟାଲୀର ମିଲାନ ଥିବା ନେଇ ଅନୁମାନ କରାଯାଉଛି । ତାଙ୍କ ବିଦେଶ ଗସ୍ତ ପରେ ଆରମ୍ଭ ହୋଇଥିବା ବିବାଦକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ରାହୁଲ ଗାନ୍ଧି ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାଇଛନ୍ତି ଏବଂ ସେ କିଛି ଦିନ ଯାଏ ବିଦେଶରେ ରହିବେ । ରାହୁଲ ଗାନ୍ଧିଙ୍କ ଆଈମା ଇଟାଲୀରେ ରୁହନ୍ତି । ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କୁ ଭେଟିବା ପାଇଁ ଯାଇଥିଲେ । ଗୋଟେ ପଟେ ସୋମବାର କଂଗ୍ରେସ ତାର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି । ଦୀର୍ଘ ଦିନ ହେଲା ଜାତୀୟ ଦଳ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ମଧ୍ୟ ଲାଗି ରହିଛି । ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତକୁ ଦଳର କିଛି ବରିଷ୍ଠ ନେତା ସହଜରେ ହଜମ କରିପାରିନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.