ଟ୍ରମ୍ପ-ଇଭାଙ୍କା ମୁହାଁମୁହିଁ

0 57

ୱାଶିଂଟନ,୧୩ ।୧: ବିଭିନ୍ନ ମହଲରୁ ଏବେ ସମାଲୋଚନାର ଶରବ୍ୟ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରରେ ବି ବିରୋଧର ସମ୍ମୁଖୀନ ହେଉଛନ୍ତି । ହ୍ୱାଇଟ୍ହାଉସ ସୂତ୍ରରୁ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନେଇ ଟ୍ରମ୍ପ ଓ ତାଙ୍କ ଝିଅ ଇଭାଙ୍କା ମୁହାଁମୁହିଁ ହୋଇଛନ୍ତି । ଜାନୁଆରୀ ୨୦ରେ ହେବାକୁ ଥିବା ଉକ୍ତ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ଘୋଷଣା କରିସାରିଛନ୍ତି । କିନ୍ତୁ ଇଭାଙ୍କା ସେଥିରେ ଯୋଗ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ବାପଝିଅଙ୍କର ଝଗଡା ହୋଇଛି । ଇଭାଙ୍କାଙ୍କୁ ନିଜର ରାଜନୈତିକ କ୍ୟାରିଅର ଚିନ୍ତା ଘାରିଛି । ସେ ଭାବୁଥିଲେ ଯେ ଭବିଷ୍ୟତରେ ଆମେରିକାର ରାଜନୀତିରେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ସମ୍ଭାବନା ଥିଲା । କିନ୍ତୁ କ୍ୟାପିଟଲ ହିଲ ଉପରେ ହୋଇଥିବା ଆକ୍ରମଣ ଏବଂ ଆଉ କିଛି ଘଟଣା ଯୋଗୁ ତାହା ପ୍ରଭାବିତ ହୋଇପାରେ । ଯଦି ସେ ଏବେ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦିଅନ୍ତି, ତାହାହେଲେ ସେଥିରୁ ଏକ ଭଲ ସନ୍ଦେଶ ଯିବ ଏବଂ ତାଙ୍କର ଭାବମୂର୍ତ୍ତି ମଧ୍ୟ ବଦଳିବ । ତେବେ ସେଇଦିନ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବା ପାଇଁ ସ୍ଥିର କରିଛନ୍ତି । ତେଣୁ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଯୋଗ ନଦେଇ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଇଛୁକ ଅଛନ୍ତି ବୋଲି ଜାଣିବା ପରେ ଟ୍ରମ୍ପ କ୍ଷୁବ୍ଧ ହୋଇପଡିଥିଲେ । ଟ୍ରମ୍ପ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ମୋତେ ପରାଜିତ କରିବା ସହିତ ସବୁ କ୍ଷେତ୍ରରେ ହଇରାଣ କରିବା ପାଇଁ ଉଦ୍ୟମ କରୁଥିଲେ ତୁମେ ସେମାନଙ୍କ ସହିତ ହାତ ମିଳାଇବାକୁ ଚାହୁଁଛ? ଏହାଯୋଗୁଁ ଭୁଲ ସନ୍ଦେଶ ଯିବ । ଏହି ସମୟରେ ଆମର ପୂରା ପରିବାର ଏକଜୁଟ ହୋଇ ରହିବା ଦରକାର । ଯଦି ତୁମେ ସେଠିକି ଯାଅ, ତାହାହେଲେ ଏହା ତୁମର ବଡ଼ ଭୁଲ ହେବ ଏବଂ ତୁମେ ଅନେକ ସମର୍ଥକ ହରାଇବ । ଏହାପରେ ଇଭାଙ୍କା ନିଜ ଜିଦରୁ ଓହରିଥିବାର କୁହାଯାଉଛି । ଆଉ ଏକ ଘଟଣାକ୍ରମରେ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ ସୋମବାର ରାତିରେ ଟ୍ରମ୍ପଙ୍କୁ ସାକ୍ଷାତ କରିଛନ୍ତି । ଗତ ବୁଧବାର କ୍ୟାପିଟଲ ହିଲ ଉପରେ ଆକ୍ରମଣ ହେବା ପରଠାରୁ ଦୁହେଁ ପରସ୍ପର ସହିତ ଆଦୌ କଥା ହୋଇନଥିଲେ । ନିର୍ବାଚନ ଜିତିବା ପାଇଁ ଶେଷ ମୁହୂର୍ତ୍ତରେ ସହାୟତା ନକରିବାରୁ ଟ୍ରମ୍ପ ତାଙ୍କ ଉପରେ କ୍ଷୁବ୍ଧ ହୋଇପଡିଥିଲେ । ସେହିପରି ହିଂସାକାଣ୍ଡକୁ ଟ୍ରମ୍ପ ଉସୁକାଇଥିବାରୁ ପେନ୍ସ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଉଭୟ ସୋମବାର ପରସ୍ପରକୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ ଏହି ସମୟରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । କ୍ୟାପିଟଲ ହିଲ ଉପରେ ହୋଇଥିବା ଆକ୍ରମଣକୁ ଉଭୟ ନିନ୍ଦା କରିଥିଲେ ଏବଂ ଟ୍ରମ୍ପଙ୍କ କାର୍ଯ୍ୟକାଳର ବାକି କିଛି ଦିନ ଭିତରେ ପ୍ରଶାସନ କ’ଣ କ’ଣ କରିବ, ତାହା ଉପରେ ଆଲୋଚନା କରିଥିଲେ । ସେପଟେ ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ସତର୍କ କରାଇ ଦେଇଛି କି ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଦିନ ଏବଂ ତା’ ପୂର୍ବରୁ ଆମେରିକାର ୫୦ଟି ଯାକ ପ୍ରଦେଶର ରାଜଧାନୀ ଓ ଅନ୍ୟ ସହରଗୁଡିକରେ ବ୍ୟାପକ ହିଂସାକାଣ୍ଡ ଘଟିପାରେ । ଏହାପରେ ଟ୍ରମ୍ପ ୱାଶିଂଟନ ଡିସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ କରିଦିଆଯାଇଛି ।

Leave A Reply

Your email address will not be published.