ତାମିଲନାଡୁ ରାଜନୀତିରେ ପ୍ରବେଶ କରିବେ ଶଶିକଳା

0 69

ଚେନ୍ନାଇ, ୮ ।୨: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍ରୁ ବାହାରିଥିବା ଶଶିକଳା ଖୁବଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରିବେ । ଏଆଏଡିଏମକେରୁ ଶଶିକଳା ବହିଷ୍କୃତ ହୋଇଥିଲେ ହେଁ ସେ ରାଜନୀତିକୁ କମବ୍ୟାକ୍ କରିବେ ବୋଲି ଆଜି କହିଛନ୍ତି । ଆଜି ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି । ମୁଁ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କୁ ୪ ବର୍ଷ ଜେଲ ଦଣ୍ଡ ମିଳିଥିଲା । ସେ ବେଙ୍ଗାଲୁରୁରେ ଜେଲରୁ ବାହାରିବା ପରେ ଜାନୁଆରୀ ୩୧ ଯାଏ ହସ୍ପିଟାଲରେ ରହିଥିଲେ । ସେଠାରୁ ଡିଜଚାର୍ଜ ହେବା ପରେ ବେଙ୍ଗାଲୁରୁ ଠାରୁ ୩୫ କିମି ଦୂର ଗୋଟିଏ ରିଜର୍ଟରେ ରହିଥିଲେ । ହେଲେ ଆଜି ତାମିଲନାଡୁ ଫେରିଛନ୍ତି । ଶଶିକଳା ତାମିଲନାଡୁରେ ପହଞ୍ଚିବା କ୍ଷଣି ତାଙ୍କ ସମର୍ଥକମାନେ ବାଜା ବଜାଇ ସ୍ୱାଗତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶଶିକଳା ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିଲେ ହେଁ ଦଳର ସଂଘର୍ଷ କଥା ସମସ୍ତଙ୍କୁ କହିଛନ୍ତି । ସେ କହିଛନ୍ତି, ଏଆଇଏଡିଏମକେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲା । ହେଲେ ଦଳ ସବୁ ସମସ୍ୟାକୁ ପଛରେ ପକାଇ ଆଗକୁ ଆସିଛି । ଆମେ ସମସ୍ତେ ଏକାଠି ହୋଇ ଆମ ମାନଙ୍କର ଏକମାତ୍ର ଶତ୍ରୁକୁ ପରାସ୍ତ କରିବା । ଶଶିକଳାଙ୍କ କମବ୍ୟାକ୍କୁ କୌଣସି ଉତ୍ସବ ଭାବେ ଏଆଇଏଡିଏମକେ ପାଳନ କରିନାହିଁ । ଦଳ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଇନାହିଁ । ଏପରି କି ଶଶିକଳା ବେଆଇନ ଭାବେ ଦଳର ପତାକା ବ୍ୟବହାର କରିବା ଓ ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଏଆଇଏଡିଏମକେ ଦୁଇଟି ମାମଲା କରିଛି । ଆଜି ଶଶିକଳାଙ୍କୁ ଏଆଇଏଡିଏମକେ ପାର୍ଟି ଅଫିସକୁ ଯିବେ କି ନାହିଁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ ସେ କହିଛନ୍ତି, ସ୍ୱର ଦବାଇ ଦେଉଥିବା ଲୋକଙ୍କ ଆଗରେ ମୁଁ କେବେ ହେଲେ ଆତ୍ମସମର୍ପଣ କରିବି ନାହିଁ । ଏଆଇଏଡିଏମକେର ପତାକା ବ୍ୟବହାର କରିଥିବାରୁ ମୋ ନାଁରେ ମାମଲା ହୋଇଛି । ଏହା ଦଳୀୟ ନେତାଙ୍କ ଭୟକୁ ଦର୍ଶାଉଛି । ଆଗକୁ କ’ଣ ହେଉଛି, ସେକଥା ଖାଲି ଆପଣ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.