ସଂସଦରେ ରାହୁଲଙ୍କୁ ଘେରିଲେ ସ୍ମୃତି

0 71

ନୂଆଦିଲ୍ଲୀ, ୧୨ ।୨: କୃଷି ଓ କୃଷକ ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦ ଓ ସଂସଦ ବାହାରେ ଘେରୁଛନ୍ତି । ତେବେ ଆମେଥି ସାଂସଦ ସ୍ମୃତି ଇରାନୀ ରାହୁଲଙ୍କୁ ପ୍ରଥମଥର ଲୋକସଭାରେ ଘେରିଛନ୍ତି । ଚାଷୀଙ୍କ ଲାଗି ରାହୁଲ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସ୍ମୃତି ସଂସଦରେ କହିଛନ୍ତି । ରାହୁଲ ଦୀର୍ଘ ବର୍ଷ ଧରି ଉତ୍ତର ପ୍ରଦେଶ ଆମେଥିରୁ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି । ଯେଉଁ ସଂସଦୀୟ କ୍ଷେତ୍ର ରାହୁଲଙ୍କୁ ବିଶ୍ୱାସରେ ସଂସଦକୁ ନିର୍ବାଚିତ କରୁଥିଲା ସେଠାକାର ଚାଷୀଙ୍କୁ ତାଙ୍କ ପାରିବାରିକ ଟ୍ରଷ୍ଟ ପ୍ରବର୍ତ୍ତିତ କରିଥିବା ସ୍ମୃତି ଗୃହରେ ଅଭିଯୋଗ କରିଛନ୍ତି । ମେଡିକାଲ କଲେଜ କରିବା ବାହାନାରେ ରାହୁଲଙ୍କ ପରିବାର ଟ୍ରଷ୍ଟ ନିରୀହ ଚାଷୀଙ୍କୁ ଠକି ସେମାନଙ୍କ ଜମି ହାତେଇ ନେଇ ସେଠାରେ ଗେଷ୍ଟ ହାଉସ୍ କରିଥିବା ସ୍ମୃତି କହିଛନ୍ତି । ଉତ୍ତରପ୍ରଦେଶର ଆମେଥି ନିର୍ବାଚନ ମଣ୍ଡଳି ଦୀର୍ଘବର୍ଷରୁ ସବୁ ପ୍ରସଙ୍ଗରେ ପଛୁଆ ରହିଆସିଛି । ରାହୁଲଙ୍କ ପାରିବାରିକ ଆସନ ହୋଇସାରିଥିବା ଆମେଥିର ଜନସାଧାରଣଙ୍କୁ କଂଗ୍ରେସ ଦୀର୍ଘବର୍ଷରୁ ରେଳ ଲାଇନ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତି ଆସୁଥିଲା । ତେବେ ଆମେଥି ହସ୍ପିଟାଲମାନଙ୍କରେ ସାଧାରଣ ସୁବିଧା ସୁଯୋଗ ନଥିବାରୁ ଶେଷରେ ଲୋକେ ସାଂସଦ ହିଁ ବଦଳାଇ ଦେଇଛନ୍ତି ବୋଲି ସ୍ମୃତି ଲୋକସଭାରେ କହିଛନ୍ତି । ଯେଉଁମାନେ ଚାଷୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସେମାନଙ୍କ ଜମି ହାତେଇ ନେଇଛନ୍ତି, ସେମାନେ ଚାଷୀ ପ୍ରସଙ୍ଗରେ କହିବା ହାସ୍ୟସ୍ପଦ ବୋଲି ସ୍ମୃତି କହିଛନ୍ତି । ରାହୁଲ ଏତେ ବର୍ଷ ଆମେଥି ସାଂସଦ ଥିବା ବେଳେ କେବେ ବି ନିର୍ବାଚନମଣ୍ଡଳିର ବ୍ୟବସ୍ଥା କଥା ସଂସଦରେ ଉଠାଇ ନାହାନ୍ତି । ଚାଷ ଓ ଚାଷୀ ବିଷୟତେ ଏତେ କଥା କହୁଥିବା ରାହୁଲ କେବେ ଗୃହରେ ଆମେଥି ମଣ୍ଡି ବ୍ୟବସ୍ଥା ମଧ୍ୟ ଉତ୍ଥାପନ କରିଥିବାର ସେ ଜାଣିନଥିବା କହିଛନ୍ତି ।

Leave A Reply

Your email address will not be published.