ମମତାଙ୍କୁ ଦେଲେ ସମର୍ଥନ ଦେଲେ ଆରଜେଡି ଓ ସପା

0 63

କୋଲକାତା, ୨ ।୩: ପୁରୁଣା ସହଯୋଗୀ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟକୁ ଭୁଲି ଆରଜେଡି ଏବଂ ସମାଜବାଦୀ ପାର୍ଟି ଏବେ ବେଙ୍ଗଲରେ କ୍ଷମତାସୀନ ଟିଏମସିକୁ ସମର୍ଥନ କରିଛନ୍ତି । କଂଗ୍ରେସ ଓ ବାମପନ୍ଥୀ ବେଙ୍ଗଲରେ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି । ଉଭୟ ଦଳ ମମତା ବାନାର୍ଜୀଙ୍କ ଟିଏମସି ଓ ବିଜେପିକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରିଛନ୍ତି । ଏଭଳି ସ୍ଥିତିରେ ଲାଲୁ ଯାଦବଙ୍କ ଆରଜେଡି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମମତାଙ୍କ ସହ ଛିଡ଼ା ହୋଇଥିବା କହିଛନ୍ତି । ଉଭୟ ଆରଜେଡି ଓ ସପା ନିଜ ନିଜ ରାଜ୍ୟରେ ବିଜେପିର ଚୀରପ୍ରତିଦ୍ୱନ୍ଦ୍ୱୀ । ବିହାର ଓ ଉତ୍ତର ପ୍ରଦେଶରେ ଏହି ଦୁଇ ଦଳ ବିଜେପି ସହ ଲଢ଼େଇ କରୁଛନ୍ତି । ବେଙ୍ଗଲରେ ଏହି ଦୁଇ ରାଜ୍ୟର ଅଧିକାଂଶ ଲୋକ ରହୁଛନ୍ତି । ବିଶେଷକରି କୋଲକାତା ଓ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ରହୁଥିବା ବିହାର ଏବଂ ଉତ୍ତର ପ୍ରଦେଶର ଲୋକ ଭୋଟିଂ ଅଧିକାର ମଧ୍ୟ ପାଇଛନ୍ତି । ଏଭଳି ସ୍ଥିତିରେ ଆରଜେଡି ଓ ସପା ମମତାଙ୍କୁ ସମର୍ଥନ କରିବା ବେଶ ଗୁରୁତ୍ୱ ବହନ କରୁଛି । ବିହାର ବିଧାନସଭା ବେଳେ ଆରଜେଡି ଓ କଂଗ୍ରେସ ମେଣ୍ଟ କରିଥିଲେ । ସେହିପରି ଉତ୍ତରପ୍ରଦେଶ ବିଧାନସଭାରେ ସପା ଓ କଂଗ୍ରେସ ମିଳିତ ଭାବେ ବିଜେପି ବିରୋଧରେ ଲଢ଼େଇ କରିଥିଲେ । କିନ୍ତୁ ବେଙ୍ଗଲରେ ପୂରା ରାଜନୀତିକ ସମୀକରଣ ବଦଳି ଯାଇଛି । ସୋମବାର ଆରଜେଡି ନେତା ତେଜସ୍ୱୀ ଯାଦବ ବେଙ୍ଗଲ ଗସ୍ତ କରି ରାଜ୍ୟ ସଚିବାଳୟରେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ସେ ମମତା ବାନାର୍ଜୀଙ୍କୁ ବେଙ୍ଗଲ ନିର୍ବାଚନରେ ପୂର୍ଣ୍ଣ ସମର୍ଥନ କରୁଥିବା କଥା କହିଥିଲେ । ଆଜି ଅଖିଲେଶ ଯାଦବ ମଧ୍ୟ ଫୋନ ଯୋଗେ ମମତାଙ୍କ ସହ କଥା ହୋଇ ସମର୍ଥନ ଜଣାଇଛନ୍ତି । ତେଜସ୍ୱୀ ଗତକାଲି କହିଥିଲେ, ଲାଲୁଜୀଙ୍କ ନିର୍ଦ୍ଦେଶରେ ଆମେ ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ । କଂଗ୍ରେସ ଓ ଲେଫ୍ଟ ଫ୍ରଣ୍ଟ ବିହାରରେ ଆମର ସହଯୋଗୀ । କିନ୍ତୁ କେରଳରେ ୟୁଡିଏଫ ଓ ଏଲଡିଏଫ ଆମ ବିରୋଧୀ । ତେଣୁ ରିଜନ ଅନୁସାରେ ସବୁ କିଛି ବ୍ୟବସ୍ଥା ହୋଇଥାଏ । ବେଙ୍ଗଲରେ ରାଜନୀତିକ ମୂଲ୍ୟବୋଧର ଲଢ଼େଇ ହେଉଛି ବୋଲି ସେ କହିଛନ୍ତି । ତେବେ ସେ ବେଙ୍ଗଲରେ ଆରଜେଡି ଏବେ ବାମପନ୍ଥୀ ମେଣ୍ଟରୁ ଓହରି ଯାଇ ଟିଏମସି ସହ ମେଣ୍ଟ କରିଛି ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି ।

Leave A Reply

Your email address will not be published.