ମୋଦୀଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ ଆଜାଦ

0 70

ନୂଆଦିଲ୍ଲୀ, ୨ ।୩ : ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ କମ୍ପନ ଆରମ୍ଭ ହୋଇଯାଇଛି । ଏହି କାରଣରୁ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ସୋମବାର ଭେଟିଛନ୍ତି । ଦିଲ୍ଲୀରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେ ରାଜ୍ୟ ପ୍ରଭାରୀ ରଜନୀ ପାଟିଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ସୂତ୍ରାନୁସାରେ ମୀର୍ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦେଖି ଜାତୀୟ ନେତାଙ୍କୁ ଅବଗତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଳର ରାଜ୍ୟସ୍ତରୀୟ ନେତାମାନେ ଗୁଲାମନବୀ ଆଜାଦ ମୋଦୀଙ୍କୁ କରିଥିବା ପ୍ରଶଂସା କାରଣରୁ ଅସନ୍ତୁଷ୍ଟ ଅଛନ୍ତି । ଗତ କିଛିଦିନ ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ଏକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହାର ମୁଖ୍ୟ ଥିଲେ ଗୁଲାମ ନବୀ ଆଜାଦ । ଏହି କାର୍ଯ୍ୟକ୍ରମରେ ଜି-୨୩ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଦଳର ରାଜ୍ୟ ସଭାପତିଙ୍କୁ ଡକା ଯାଇନଥିଲା । ଆଜାଦ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିଥିଲେ । ଗୁଲାମ ଅହମ୍ମଦ ମୀର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବୈଠକ କରିପାରନ୍ତି । ସୂଚନାଯୋଗ୍ୟ ଗୁଲାମ ନବୀଙ୍କ ବୟାନ ଜି-୨୩ର ଅନେକ ନେତାଙ୍କୁ ପସନ୍ଦ ଆସିନଥିଲା । ଆଜାଦ ଏପରି କହିବା ଠିକ୍ ନୁହେଁ ବୋଲି ଜଣେ ନେତା ପରିଚୟ ଲୁଚାଇ କହିଛନ୍ତି । ଏହା ଜି-୨୩କୁ ମଜବୁତ କରିବା ଲକ୍ଷ୍ୟଠୁ ଦୂରରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.