ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

0 70

କୋଲକାତା, ୧୨ ।୩: ପଶ୍ଚିମବଙ୍ଗର ସବୁଠାରୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନ ପାଇଁ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିଛନ୍ତି । ସେ ବିରାଟ ଶୋଭାଯାତ୍ରା କରି ହଳଦିଆସ୍ଥିତ ଡିଏମ ଅଫିସରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ନାମାଙ୍କନ ଦାଖଲ କରିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ ଉପସ୍ଥିତ ରହିଥିଲେ । ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରା କରିଥିଲେ । ଏଥିରେ ଯୋଗଦେଇ ସ୍ମୃତି ଇରାନୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଆପଣ ଖେଲା ବା ଖେଳ କଲେ । କିନ୍ତୁ ମୋଦି ଏଠାରେ ପରିବର୍ତ୍ତନ କରିବେ । ଆପଣ ପଶ୍ଚିମବଙ୍ଗ ସହ ଖେଳ କରିଛନ୍ତି । ମୁଁ ଦିଦିଙ୍କୁ ପଚାରିବାକୁ ଚାହେଁ ଖେଳ ସରିବା ପରେ ଆପଣ ଭବାନୀପୁର ଆସନ ଛାଡ଼ିଲେ କି? ନା ଆପଣ ଏବେ ନନ୍ଦିଗ୍ରାମ ସହ ଖେଳ କରିବାକୁ ଏଠାକୁ ଆସିଛନ୍ତି? ଦିଦି ଝିଅକୁ ଭୋଟ ଦେବାକୁ କହୁଛନ୍ତି । ହେଲେ ମୁଁ ପଚାରିବାକୁ ଚାହେଁ, କେଉଁ ଝିଅ ଦିଦି? ଯିଏ ୮୦ ବର୍ଷର ବୃଦ୍ଧାଙ୍କୁ ପିଟିଛି? ଯେଉଁ ଝିଅ ବିଜେପି କର୍ମୀଙ୍କୁ ମାରିଛି ଓ ଗଛରେ ଟାଙ୍ଗି ଦେଉଛି? ଯେଉଁ ଝିଅ ଦୁର୍ଗା ଭଷାଣୀ ଓ ସରସ୍ୱତୀ ପୂଜାକୁ ଅନୁମତି ଦେଇ ନଥିଲା? ସେଭଳି ଝିଅ ଆଜି ନନ୍ଦିଗ୍ରାମକୁ ଆସି ଚଣ୍ଡିପାଠ କରୁଛନ୍ତି । ସେହିପରି ଶୁଭେନ୍ଦୁ ଅଧିକାରୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନନ୍ଦିଗ୍ରାମରେ ବିରାଟ ଯଜ୍ଞ କରିଥିଲେ । ଯଜ୍ଞ କରି ସାରିବା ପରେ ସେ ବିରାଟ ସମାବେଶକୁ ଉଦବୋଧନ ଦେଇ ବିଜେପି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ଯାଉଥିବା ଦମ୍ଭୋକ୍ତି କରିଥିଲେ । ଏହାପରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ନନ୍ଦିଗ୍ରାମରେ ଏଥର ମମତା ବାନାର୍ଜୀ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି । ସେ ମାର୍ଚ୍ଚ ୧୦ରେ ଏଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସନ୍ଧ୍ୟା ବେଳେ ସେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ କୋଲକାତାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ଟିଏମସିର ପୂର୍ବତନ ନେତା । ସେ ଦୁଇଥର ଟିଏମସି ଟିକେଟରୁ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି । ଏଥର ସେ ବିଜେପି ଟିକେଟରୁ ଲଢ଼େଇ କରୁଥିବାରୁ ତାଙ୍କୁ ଖୋଦ୍ ମମତା ବାନାର୍ଜୀ ଚ୍ୟାଲେଞ୍ଜ ଦେବାକୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.