ପ୍ରଚାର ପାଇଁ ଦଳର ହେଭିୱେଟଙ୍କ ନାଁ ଘୋଷଣା କଲା କଂଗ୍ରେସ

0 62

ନୂଆଦିଲ୍ଲୀ, ୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ନବଜୋତ ସିଂହ ସିଦ୍ଧୁଙ୍କ ଭଳି ମୋଟ୍ ୩୦ ଜଣଙ୍କ ନାଁ ରହିଛି । ରାଜ୍ୟରେ କଂଗ୍ରେସ ବାମପନ୍ଥୀ ଦଳ ଏବଂ ଆଞ୍ଚଳିକ ଦଳ ମିଶି ନିର୍ବାଚନ ଲଢ଼ିବ । ପଶ୍ଚିମବଙ୍ଗରେ ବିଜେପି-ଟିଏମସି ପ୍ରଚାରରେ ଅନେକ ହେବିୱେଟଙ୍କୁ ସାମିଲ୍ କରିଥିବା ବେଳେ କଂଗ୍ରେସ ମଧ୍ୟ ଦଳର ପୁରୁଖା ନେତାଙ୍କୁ ପ୍ରଚରା ତାଲିକାରେ ଯୋଡ଼ିଛି । ହେଲେ ଦଳରେ ବିଦ୍ରୋହ ସୃଷ୍ଟି କରିଥିବା ୨୩ କଂଗ୍ରେସ ନେତାଙ୍କ ନାଁ ଏହି ପ୍ରଚାରକ ତାଲିକାରେ ନାହିଁ । ସୋନିଆ, ରାହୁଲଙ୍କ ବ୍ୟତୀତ ପ୍ରଚାରକଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ରହିଛନ୍ତି । ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଷେକ ମୁଖାର୍ଜୀ, ରାଜ୍ୟର ପିସିସି ସଭାପତି ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖାଡ଼ଗେ, ସଲମାନ ଖୁର୍ସିଦ, ରଣଜୀପ ସିଂହ ସୁରଜେୱାଲା, ଜିତନ ପ୍ରସାଦ, ଦିପେନ୍ଦ୍ର ହୁଡ଼ା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ପ୍ରଚାର କରିବେ । ସବୁଠୁ ବଡ଼ କଥା ହେଲା କଂଗ୍ରେସର ଅଳ୍ପସଂଖ୍ୟକଙ୍କ ଚେହେରା କୁହାଯାଉଥିବା ଗୁଲାମ ନବୀ ଆଜାଦଙ୍କୁ ପ୍ରଚାର ତାଲିକାରେ ରଖିନି କଂଗ୍ରେସ । ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରି ଦେଶରେ ଏହି ସର୍ବପୁରାତନ ଦଳରେ ସେ କୋଣଠେସା ହୋଇଛନ୍ତି । ଫେବୃଆରୀ ୨୭ରେ ଗୁଲାମଙ୍କ ନେତୃତ୍ୱରେ ୨୩ ବିଦ୍ରୋହୀ ନେତା ଜମ୍ମୁ କଶ୍ମୀରରେ ଶାନ୍ତି ବୈଠକ କରିଥିଲେ । ଏହି ବୈଠକରେ ଗୁଲାମ, କପିଲ ସିବଲ, ମନୀଷ ତିୱାରୀଙ୍କ ଭଳି ପୁରୁଖା ନେତା ଦଳକୁ ମଜବୁତ କରିବାକୁ ଯାଇ ଏହି ବୈଠକ କରିଥିବା କଥା କହିଥିଲେ । ପରେ ଏହାକୁ ନେଇ ୨୩ ବିଦ୍ରୋହୀଙ୍କୁ ଜବାବ ଦେଇଥିଲା କଂଗ୍ରେସ । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏହି ନେତାମାନେ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ଏହି ସମସ୍ତ ନେତା ସମ୍ମାନିତ ନେତା । ଆମେ ତାଙ୍କୁ ସମ୍ମାନ କରୁଛୁ । ସିଂହଭି କହିଥିଲେ ଯେ ସେହି ନେତାମାନଙ୍କ ମଧ୍ୟରୁ ଜଣେ (ଗୁଲାମ ନବୀ ଆଜାଦ) “ଇସତେମାଲ’ ଶବ୍ଦ ବ୍ୟବହାର କରିଛନ୍ତି । ହେଲେ ସେ କଂଗ୍ରେସର ଇତିହାସ ଜାଣି ନାହାନ୍ତି । ମନୁ ସିଂହଭି ଗୁଲାମଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଦଳ କ’ଣ ଦେଇଛି ବୋଲି ସିଂହ ଭି ହିସାବ ଦେଇଥିଲେ ।

Leave A Reply

Your email address will not be published.