ବିଜେପିକୁ ଫେରିଲେ ଶିଲାଦିତ୍ୟ

0 61

ଗୌହାଟୀ, ୧୩ ।୩: ଆସାମର ବିଧାନସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ବିଜେପି ବିଧାୟକ ଶିଲାଦିତ୍ୟ ଦେବ ଦଳରୁ ଇସ୍ତଫା ଦେଇଥିଲେ । ତେବେ ସେ ପୁଣିଥରେ ଆଜି ଦଳକୁ କମବ୍ୟାକ୍ କରିଛନ୍ତି । ସେ ସବୁବେଳେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିବେ ବୋଲି ଦଳ ତାଙ୍କ କମବ୍ୟାକ୍ ପରେ କହିଛି । ଟିକେଟ ନ ପାଇ ଦଳ ଛାଡ଼ିଥିବା ଦେବଙ୍କୁ ବୁଝାଇବା ପାଇଁ ଶୁକ୍ରବାର ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦିଲ୍ଲୀପ ସୈକିଆ ତାଙ୍କ ଘରକୁ ଯାଇଥିଲେ । ସେ ବିଜେପି ଛାଡ଼ିବା ପରେ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ହେଲେ ଏବେ ସେ ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କୌଣସି ପ୍ରକାରର ଭାଗନେବେ ନାହିଁ କହି ପୁଣିଥରେ ବିଜେପିକୁ ମିଶିଛନ୍ତି । ଶ୍ରୀ ଦେବ କହିଛନ୍ତି, ମୁଁ କେବେ ହେଲେ କଂଗ୍ରେସ ଏଠାରେ ଜିତୁ ବୋଲି ଚାହୁଁନାହିଁ । କାରଣ କଂଗ୍ରେସ ଜିତିଲେ ରାଜ୍ୟରେ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ)ର ମୁଖ୍ୟ ବଦ୍ରାଦୁଦ୍ଦିନ ଅଜମଲଙ୍କ ଦବଦବା ବଢ଼ିବ । ଏଠାରେ ଉଭୟ କଂଗ୍ରେସ ଓ ଏଆଇୟୁଡିଏଫ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି । ତେଣୁ ମୁଁ ମୋ ପାର୍ଟିରେ ରହିବାକୁ ନିଷ୍ପତ୍ତି ନେଇଛି । ଦେବ ହୋଜାଇ ଆସନରୁ ବିଧାୟକ ହୋଇଥିଲେ । କିନ୍ତୁ ଏଥର ଦଳ ହିନ୍ଦୁ-ବେଙ୍ଗଲୀ ଡୋମିନେଣ୍ଟ ହୋଜାଇରୁ ରାମକୃଷ୍ଣ ଘୋଷଙ୍କୁ ପ୍ରାର୍ଥୀ କରିଛି । ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼଼ ପାଲଟିଯାଇଛି । ଏଥର ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରୁ ୧୨ ଜଣ ବିଧାୟକ ବାଦ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଦେବ ଅନ୍ୟତମ । କେବଳ ଦେବ ନୁହନ୍ତି, ସିଲଚର ଆସନରୁ ପ୍ରାର୍ଥୀ ହୋଇ ନଥିବା ଦଳୀୟ ବିଧାୟକ ଦୀଲିପ ପଲ ମଧ୍ୟ ବିଜେପି ଉପରେ କ୍ଷୁବ୍ଧ ହୋଇଛନ୍ତି । ବିରୋଧକୁ ଦୃଷ୍ଟିରେ ରଖି ବିଜେପି ଏବେ ନୂଆ ପ୍ରାର୍ଥୀ ଦେଇଥିବା ଆସନଗୁଡ଼ିକରେ ପୁରୁଣା ନେତାଙ୍କୁ ବୁଝାଇବା ଆରମ୍ଭ କରିଛି । ବିଜେପିର ନିର୍ବାଚନ କମାଣ ଧରିଥିବା ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଶ୍ରୀ ଦେବ ସବୁବେଳେ ବିଜେପିରେ ରହିବେ । ସେ ଚଳିତ ବିଧାନସଭା ନିର୍ବାଚନରେ ଦଳ ପାଇଁ ହୋଜାଇ ଓ ଲୁମଡିଙ୍ଗ ସମେତ ସବୁ ଆସନରେ ପ୍ରଚାର କରିବେ ।

Leave A Reply

Your email address will not be published.