ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ

0 76

ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କଲେ ଶାହ

କୋଲକାତା, ୩୦ ।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ଏହି ଅବସରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରି ରୋଡ ଶୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ହଜାର ହଜାର ବିଜେପି କର୍ମୀ ଏବଂ ସମର୍ଥକ ପ୍ରଚାରରେ ସାମିଲ୍ ହୋଇଥିବା ଦେଖିବାକୁ ମିିଳିଛି । ଶାହ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ । ଆଉ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକ ବ୍ୟବଧାନରେ ବିଜୟୀ ହେବେ । ଆଉ ନନ୍ଦିଗ୍ରାମ ହିଁ ପଶ୍ଚିମବଙ୍ଗକୁ ପରିବର୍ତ୍ତନର ରାସ୍ତା ଦେଖାଇବ ବୋଲି ଶାହ କହିଛନ୍ତି । ଅମିତ ଶାହ କହିଛନ୍ତି ମମତା ଏବେ ନନ୍ଦିଗ୍ରାମରେ ରହୁଛନ୍ତି । ସେ ରହୁଥିବା ସ୍ଥାନରୁ ୫ କିଲୋମିଟର ଦୂରରେ ନିକଟରେ ଦୁଷ୍କର୍ମ ହୋଇଛି । ସେହିପରି ଆଉ ଏକ ଘଟଣାରେ ଟିଏମସି କର୍ମୀଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମମତା ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି ହେଲେ ଏ କେମିତିକା ମହିଳାଙ୍କୁ ସୁରକ୍ଷା ବୋଲି ଶାହ କହିଛନ୍ତି । ବିଜେପିକୁ ଭୋଟ୍ ଦେଲେ ସୁନାର ପଶ୍ଚିମବଙ୍ଗ ହେବ । ଶିକ୍ଷା, ରାସ୍ତା ନିର୍ମାଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ସେ କହିଛନ୍ତି । ଯେଉଁଭଳି ଭାବରେ ନନ୍ଦିଗ୍ରାମରେ ଲୋକମାନେ ବିଜେପିକୁ ସମର୍ଥନ କରୁଛନ୍ତି ତାହା ପରିବର୍ତ୍ତନର ଆଭାସ । ଆଉ ଏହି ମାହୋଲା ପଶ୍ଚିମବଙ୍ଗର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୩୦ଟି ଆସନରେ ବିଜେପି ଭଲ ପ୍ରଦର୍ଶନ କରିଛି ଆଗକୁ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆସନରେ ଭଲ କରିବ ବୋଲି ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ସେ ନନ୍ଦିଗ୍ରାମର ମା’, ଭଉଣୀଙ୍କ ସମ୍ମାନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ନନ୍ଦିଗ୍ରାମ ଆନ୍ଦୋଳନକୁ ସମ୍ମାନ ଦେବାକୁ ଯାଇ ସେ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି । ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ଆସନ ପାଇଁ ଆଜି ପ୍ରଚାରର ଅନ୍ତିମ ଦିନ । ତେଣୁ ସମସ୍ତ ଦଳ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ମୋଟ୍ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ମେ’ ୨ରେ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.