କରୋନା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି ନିର୍ବାଚନୀ ପ୍ରଚାର

0 61

ନୂଆଦିଲ୍ଲୀ, ୧୩ ।୪: ବିଧାନସଭା ତାରିଖ ଘୋଷଣା ହେବା ଦିନଠାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେବୃଆରୀ ୨୬ରେ ଉପରୋକ୍ତ ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରିଥିଲେ । କେରଳକୁ ଛାଡ଼ି ଆଉ ସବୁ ରାଜ୍ୟରେ ଫେବୃଆରୀ ୨୬ ପରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ଏହାର ଅର୍ଥ ନିର୍ବାଚନ ପାଇଁ ହେଉଥିବା ପ୍ରଚାର କାର୍ଯ୍ୟକ୍ରମ କରୋନା ସଂକ୍ରମଣ ପାଇଁ ମଧ୍ୟ ସମ ପରିମାଣରେ ଦାୟୀ । ଫେବୃଆରୀ ୨୬ରେ ଭାରତରେ ଦୈନିକ ସଂକ୍ରମଣ ୧୬,୫୬୨ ଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ହେଲେ ଏପ୍ରିଲ ୬ରେ ଦୈନିକ ସଂକ୍ରମଣ ୯୬,୯୮୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୪୬ ରହିଥିଲା । ଏହି ସମୟ ସୀମା ମଧ୍ୟରେ ସବୁ ରାଜନୈତିକ ଦଳର ନେତାମାନେ ନିଜ ସମର୍ଥକଙ୍କ ସହ ରାଲି କରିବା ସହ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ । ପ୍ରଚାର ବେଳେ କାହା ମୁହଁରେ ମାସ୍କ ନଥିଲା କିମ୍ବା କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରୁନଥିଲେ । ତେଣୁ ସଂକ୍ରମଣ ୬ ଗୁଣ ଓ ମୃତ୍ୟୁସଂଖ୍ୟା ଫେବୃଆରୀ ୨୬ ତୁଳନାରେ ଏପ୍ରିଲ ୬ରେ ୪ ଗୁଣ ବଢ଼ିଛି । ତଥ୍ୟ ଅନୁସାରେ ଫେବୃଆରୀ ୨୬ରେ ପଶ୍ଚିମବଙ୍ଗରେ ୨୧୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଏପ୍ରିଲ ୬ ବେଳକୁ ଏହା ୧୦ ଗୁଣ ବୃଦ୍ଧି ପାଇ ୨୦୫୮ରେ ପହଞ୍ଚି ଯାଇଥିଲା । ତୃତୀୟ ପର୍ଯ୍ୟାୟ ମତଦାନ ଦିନ ହିଁ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି । ଫେବୃଆରୀ ୨୬ରେ ୩ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୩୦ରେ ପହଞ୍ଚିଛି । ତାମିଲନାଡୁରେ ବି କରୋନା ସଂକ୍ରମଣ ନିର୍ବାଚନ ପ୍ରଚାର ଯୋଗୁଁ ବୃଦ୍ଧି ପାଇଛି । ଫେବୃଆରୀ ୨୬ରେ ୪୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏପ୍ରିଲ ୬ ତାରିଖରେ ଏହା ୩୬୪୫ରେ ପହଞ୍ଚି ଯାଇଛି । ମୃତ୍ୟୁସଂଖ୍ୟା ୫ରୁ ୩ଗୁଣ ବଢ଼ି ୧୫ ଛୁଇଁଛି । ଖାଲି ସେତିକି ନୁହେଁ କଂଗ୍ରେସର ଶ୍ରୀଭିଲ୍ଲିପୁଥୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପିଏସ୍ ଡବ୍ଲ୍ୟୁ ମାଧବ ରାଓ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ରାଜନେତାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । କେରଳରେ ଦୈନିକ ସଂକ୍ରମଣ ଏପ୍ରିଲ ୬ରେ ୩ ହଜାର ଉପରେ ରହିଥିଲା । ତେବେ ଫେବୃଆରୀ ୨୬ ତୁଳନାରେ ଏପ୍ରିଲ ୬ରେ ଏହା ସାମାନ୍ୟ କମ । ଫେବୃଆରୀ ୨୬ରେ ୩,୬୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୩୫୦୨ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଉଭୟ ତାରିଖରେ ସମାନ ୧୪ ରହିଥିଲା । କରୋନାର ଦ୍ୱିତୀୟ ଲହରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କଂଗ୍ରେସ ନେତା ଓମେନ ଚାଣ୍ଡି ମଧ୍ୟ ସଂକ୍ରମିତ ହୋଇଥିଲେ । ଆସାମରେ ମଧ୍ୟ ନିର୍ବାଚନ ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଫେବୃଆରୀ ୨୬ରେ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୯୨କୁ ବୃଦ୍ଧି ପାଇଥିଲା । ଆସାମରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ସମସ୍ତ ୧୨୬ ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ପୁଡୁଚେରୀରେ ମଧ୍ୟ ନିର୍ବାଚନ ଯୋଗୁ କରୋନା ୧୨ ଗୁଣ ବୃଦ୍ଧି ପାଇଛି । ଫେବୃଆରୀ ୨୬ରେ ପୂରା ପୁଡୁଚେରୀରେ ୨୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ଏପ୍ରିଲ ୬ରେ ଏଠାରେ ୨୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Leave A Reply

Your email address will not be published.