ରାଷ୍ଟ୍ରପତି ନିର୍ବାଚନ ନେଇ ପାଗ ଭିଡା

0 61

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଛି । ଶାସକ ଏବଂ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ତା’କୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି । ଏଥିପାଇଁ ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି ବିରୋଧୀ । ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ସହମତି ଭିତ୍ତିରେ ପ୍ରାଥୀ ଦେବେ ବୋଲି ନିଷ୍ପତ୍ତି ହୋଇଛି । ବୈଠକ ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆଜିର ବୈଠକରେ ଅନେକ ଦଳ ଯୋଗ ଦେଇଥିଲେ । ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ କେବଳ ସହମତିରେ ଜଣେ ପ୍ରାର୍ଥୀ ବାଛିବୁ । ସମସ୍ତେ ଏହି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ । ଆମେ ଏ ନେଇ ଅନ୍ୟମାନଙ୍କ ସହ ପରାମର୍ଶ କରିବୁ । ସୁଧୀନ୍ଦ୍ର କୁଲକର୍ଣ୍ଣି କହିଛନ୍ତି ଯେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ସହମତି ଭିତ୍ତିରେ ଜଣେ ସାଧାରଣ ପ୍ରାର୍ଥୀ ଦେବା ପାଇଁ ବିରୋଧୀ ଦଳର ନେତାମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ଏଭଳି ଜଣେ ପ୍ରାର୍ଥୀ ଚୟନ କରାଯିବ ଯିଏ ପ୍ରକୃତରେ ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିପାରିବ ଏବଂ ଆମ ଗଣତନ୍ତ୍ର ଉପରେ ମୋଦୀ ସରକାର ଯେଭଳି ଅଧିକ କ୍ଷତି ପହଞ୍ଚାଇ ପାରିବେ ନାହିଁ, ସେ କ୍ଷେତ୍ରରେ କାର୍ଯ୍ୟ କରିବେ । ଏହି ବୈଠକରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି ଭାଗ ନେଇନଥିଲା । ଏହି ବୈଠକରେ ଅଂଶଗ୍ରହଣ କରିଥିବା ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ ମମତା ବାନାର୍ଜୀ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ
ଭାବରେ ଏନ୍‌ସିପିର ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପାୱାର ସେହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ୧୭ଟି ରାଜନୈତିକ ଦଳର ନେତାମାନେ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ବିରୋଧରେ ମିଳିତ ପ୍ରାର୍ଥୀ ଦେବା ଉପରେ ସହମତି ପ୍ରକାଶ କରିବା ପାଇଁ ମମତା ବାନାର୍ଜୀଙ୍କ ଦ୍ୱାରା ଆହୂତ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଟିଏମସି, କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ, ଆରଏସପି, ଶିବସେନା, ଏନ୍‌ସିପି, ଆରଜେଡି, ଏସ୍‌ପି, ନେସ୍‌ନାଲ କନଫରେନ୍ସ, ପିଡିପି, ଜେଡି (ଏସ୍‌), ଡିଏମ୍‌କେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମ୍‌ଏମ୍ ଯୋଗ ଦେଇଥିଲେ । ଏହି ବୈଠକକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ପ୍ରତିନିଧି ପଠାଇ ନାହାନ୍ତି । ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ରେ ଭୋଟ୍ ଗଣାଯିବ । ସୂଚନାଯୋଗ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ବିଧିବଦ୍ଧ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜିଠାରୁ ୨୯ ତାରିଖ ଯାଏ ଏଥିନେଇ ନାମକରଣ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ଏଥିନେଇ ଉଭୟ ବିରୋଧୀ ଓ ଶାସକ ଦଳର କିଏ ପ୍ରାର୍ଥୀ ହେବ ସେନେଇ ତନାଘନା ଚାଲିଛି । ସୂଚନାଥାଉ କି, ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଭୋଟ୍‌ କରିବେ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ୍ ଦେବେ । ଯାହାର ମୋଟ୍ ସଂଖ୍ୟା ହେଉଛି ୪୮୯୬ । ତେବେ ଚଳିତ ଥର ଇଲେକ୍ଟୋରାଲ କଲେଜର ଭୋଟ୍ ଭାଲ୍ୟୁର ପରିମାଣ ମୋଟ ୧୦,୮୬,୪୩୧ ହୋଇଥିବା ବେଳେ, ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ୫,୪୩, ୨୧୬ ଭୋଟ୍‌ ଦରକାର । ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।ରାଷ୍ଟ୍ରପତି
ନିର୍ବାଚନ ନେଇ ବିଜେପି ପକ୍ଷରୁ ରାଜନାଥ ସିଂ ଏବଂ ଜେପି ନଡ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହିତ ରାଜନାଥ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି । ଆଜି ଦିଲ୍ଲୀରେ ମମତା ବାନାର୍ଜୀ ଡାକିଥିବାବିଜେପି ବିରୋଧୀ ବୈଠକକୁ ପ୍ରତିନିଧି
ପଠାଇନଥିଲେ ଉଭୟ ନବୀନ କି ଜଗନ । ରାଷ୍ଟ୍ରପତି ନିର୍ବାଚନ ବିଜୟ ପାଇଁ ଏନ୍‌ଡିଏ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Leave A Reply

Your email address will not be published.