ଚେସ୍ ଅଲିମ୍ପିଆଡ୍ : ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ

0 73

ନୂଆଦିଲ୍ଲୀ,୨୦ା୬ : ଚେନ୍ନଇର ମହାବଳିପୁରମରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ
୪୪ତମ ଚେସ୍ ଅଲିମ୍ପିଆଡ ଖେଳାଯିବ । ପ୍ରଥମଥର ଭାରତରେ ଆୟୋଜିତ ହେବାକୁ ଥିବା ଚେସ୍‌ ଅଲିମ୍ପିଆଡ ମଶାଲ ଶୋଭାଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କରିଛନ୍ତି । ରବିବାର ଅପରାହ୍ଣରେ ଦିଲ୍ଲୀରେ ଆୟୋଜିତ ମଶାଲ ଶୋଭାଯାତ୍ରା ଲୋକାର୍ପଣ ଉତ୍ସବରେ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ(ଫିଡେ) ସଭାପତି ଆର୍କାଡେ ଜୋକୋଭିକ୍ ମଶାଲକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଥିଲେ । ପ୍ରଧାନମନ୍ତ୍ରୀ ଉକ୍‌ତ ମଶାଲକୁ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିଥିଲେ । ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଚେସ୍‌ କେବଳ ଖେଳ ନୁହେଁ; ଏହା ଶିକ୍ଷା
ଓ ଜ୍ଞାନର ବଡ଼ ପ୍ରତୀକ । କବାଡି, କୁସ୍ତି ଓ ମାଲଖମ୍ବ ଭଳି କ୍ରୀଡ଼ା ପାଇଁ ଶାରୀରିକ ସୁସ୍ଥତାର ଆବଶ୍ୟକତା ଥିବାବେଳେ ଚେସରେ ବୃଦ୍ଧିର ଆବଶ୍ୟକତା ରହିଥାଏ । ଚେସ୍‌ କ୍ରୀଡ଼ା ଶିକ୍ଷାର ବିକାଶରେ ମଧ୍ୟ ସହାୟକ ହୋଇଥାଏ । ଚେସ କ୍ରୀଡ଼ାରେ ସଫଳତା ପଛରେ ଯୋଗର ବହୁତ ବଡ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କ୍ରୀଡ଼ା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ । ଭାରତକୁ ଚେସ୍‌ ଅଲିମ୍ପିଆଡ ଆୟୋଜନ ନେଇ ସୁଯୋଗ ମିଳିଛି । ଏହା ଆମ ପାଇଁ ବଡ ଉପଲବ୍ଧି । ଭାରତ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଚେସ୍‌ ଦେଶରେ ପରିଣତ ହୋଇଛି । ଚେସ୍ ଅଲିମ୍ପିଆଡ ମଶାଲ ଶୋଭାଯାତ୍ରା ଚେସର ଲୋକପ୍ରିୟତାରେ ସହାୟକ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଠାକୁର
କହିଛନ୍ତି । ଭାରତ ସରକାରଙ୍କ ସହଯୋଗ ଓ ପ୍ରତିଯୋଗିତା ଆୟୋଜନ ନେଇ ଉତ୍ସାହକୁ ଫିଡେ ପକ୍ଷରୁ ପ୍ରଶଂସା କରାଯାଇଛି । ଚେସ୍ ଅଲିମ୍ପିଆଡରେ ପ୍ରଥମଥର ମଶାଲ ଶୋଭାଯାତ୍ରା ଭାରତରେ ଅନୁଷ୍ଠିତ ହେବ । ଏହା ଅଲିମ୍ପିକ୍‌ସ ପରମ୍ପରାର ବଡ ପ୍ରତୀକ ବୋଲି ଫିଡେ ସଭାପତି ଆର୍କାଡେ ଜୋକୋଭିକ୍ କହିଛନ୍ତି । ୧୯୨୭ ମସିହାରୁ ଆରମ୍ଭ ହୋଇଥିବା ଚେସ୍ ଅଲିମ୍ପିଆଡ ପ୍ରଥମ ଥର ପାଇଁ ଭାରତରେ ତଥା ୩୦ ବର୍ଷ ପରେ ଏସୀୟ ମହାଦେଶରେ ୩୦ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ୧୮୯ ଦେଶର ଖେଳାଳି ଅଂଶଗ୍ରହଣ କରିବେ । ମଶାଲ ଶୋଭାଯାତ୍ରା ମୋଟ ୪୦ ଦିନ ମଧ୍ୟରେ ଶ୍ରୀନଗର, ଜୟପୁର, ସୁରଟ, ମୁମ୍ବଇ, ଭୋପାଳ, ପାଟନା, କଲକାତା, ଗାଙ୍ଗଟକ, ହାଇଦରାବାଦ୍‌, ବାଙ୍ଗାଲୋର, ତ୍ରିସୁର, ପୋର୍ଟ ବ୍ଳେୟାର, କନ୍ୟାକୁମାରୀ ସମେତ ଆଦି ୭୫ଟି ସହର ପରିକ୍ରମା କରିବ । ଚେନ୍ନଇର ମହାବଳିପୁରମରୁ ଉକ୍ତ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ ହୋଇଛି । ପ୍ରତି ସ୍ଥାନରେ ଉକ୍ତ ରାଜ୍ୟର ଚେସ୍ ଗ୍ରାଣ୍ଡମାଷ୍ଟର ଏହାକୁ ସ୍ୱାଗତ କରିବେ । ଜୁଲାଇ ୧୫ରେ ମଶାଲ ଶୋଭାଯାତ୍ରା
ଓଡ଼ିଶାକୁ ଆସିବ । ଉକ୍ତ ମଶାଲ ଶୋଭାଯାତ୍ରା ଓଡ଼ିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କ ପରିକ୍ରମା କରିବ । ରବିବାର ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖb ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଚେସ୍ ଅଲିମ୍ପିଆଡ୍ ମସ୍କୋରେ ଆୟୋଜିତ ହେବାର ଥିଲା ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପାଇଁ ମସ୍କୋ ବଦଳରେ ଭାରତକୁ ଉକ୍ତ ଚେସ୍ ଅଲିମ୍ପିଆଡ ଆୟୋଜନ ନେଇ ସୁଯୋଗ ମିଳିଛି ।

Leave A Reply

Your email address will not be published.