ହେଳା, ଭେଳା, ଅବହେଳା

0 69

ହେଳାରୁ ବା ଭେଳା ବୁଡ଼େ ବୋଲି ଏକ ଲୋକକଥା ଅଛି । ହେଲେ ଅବହେଳା ଆଉ ଏକ ଅକ୍ଷମଣୀୟ ଗୁରୁତ୍ୱପୂର୍ଣ୍ଣ ଦିଗ । ଅବହେଳା ମଣିଷର ଚରିତ୍ର ଦୃଷ୍ଟିକୋଣରୁ ହୋଇପାରେ, ଆଦର୍ଶ, ବୃତ୍ତିଗତ, ଚିନ୍ତନ, ଆଧ୍ୟାତ୍ମିକ, ଆର୍ଥିକ ବି ହୋଇପାରେ । ତେବେ ଅବହେଳା ଗୁରୁତର ହେଲେ ଏହା ମାନବୀୟ ଜୀବନରେ ବଡ଼ ଦୁଃଖର ଓ ଅବଶୋଷର କାରଣ ପାଲଟେ । କିଛିଦିନ ତଳେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଅନୁଜ ପ୍ରତୀମ ଶ୍ରଦ୍ଧେୟ ସୁଶାନ୍ତକୁ ନେଇ ତାର ଚକ୍ଷୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଅସୁବିଧା ପାଇଁ ଓଡ଼ିଶାର ବିଶିଷ୍ଟ ଯୁବ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅନୁରାଗ ମିଶ୍ରଙ୍କ ପାଖକୁ ନେଇଥିଲି । ଅନୁରାଗ ମିଶ୍ର କଟକ କାଠଯୋଡ଼ି ରିଙ୍ଗରୋଡ଼ ରାଧାରମଣ ଚକ୍ଷୁ ହସ୍ପିଟାଲ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ରୋଗୀ ସେବା କରୁଛନ୍ତି । ଅନୁଜ ସୁଶାନ୍ତର ପରିଚୟ ଗଣମାଧ୍ୟମରେ ପରିଚିତି ଓ କାର୍ଯ୍ୟ ଦକ୍ଷତା ଶୁଣିବା ପରେ ସେ ବଡ଼ ବିଶାଦ ଭରା କଣ୍ଠରେ କହିଲେ ଆମେ ଅବହେଳା ସମ୍ପର୍କରେ ବିଭିନ୍ନ କଥା ଶୁଣୁଛୁ । ପ୍ରଶାସନର ଅବହେଳା, ଡାକ୍ତରର ଅବହେଳା, ପୋଲିସର ଅବହେଳା, ଅଭିଭାବକଙ୍କ ଅବହେଳା ସବୁଠି ଅବହେଳାର ଚିତ୍ର ଓ ଚରିତ୍ର ଛତୁ ଫୁଟୁଥିବାବେଳେ ଜଣେ ଅନୁଭବୀ, କାର୍ଯ୍ୟଦକ୍ଷ ଓ ଲୋକପ୍ରିୟ ଯୁବ ବ୍ୟକ୍ତିତ୍ୱ ହୋଇ ବି ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚକ୍ଷୁର ଅବହେଳାକୁ ନେଇ ସେ ଦିନ ଅନୁରାଗ ବାବୁ ବହୁତ ଦୁଃଖିତ ହୋଇପଡ଼ିଲେ । ଓଡ଼ିଶାର ସମସ୍ତ ଛପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଏପରି ଜଣେ ଯୁବ ବ୍ୟକ୍ତିତ୍ୱ ଯିଏ କି ତାଙ୍କ ଘରୋଇ ପାଠାଗାରରେ ଅଧକୋଟି ଟଙ୍କାର ଦୁର୍ଲ୍ଲଭ, ଉପାଦେୟ ଓ ମୂଲ୍ୟବାନ ପୁସ୍ତକ ରଖିଛନ୍ତି । ଏହା ସହ ପ୍ରତିଦିନ ଓଡ଼ିଶାର ସମସ୍ତ ଛପା ଖବରକାଗଜ କିଣନ୍ତି ଓ ପଢ଼ନ୍ତି କିନ୍ତୁ ଦୀର୍ଘ ଦିନ ଧରି ଚକ୍ଷୁ ସମସ୍ୟା ଅନୁଭବ କରି ତାଙ୍କର ଅନେକ ପରିଚିତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ବନ୍ଧୁଥାଇ ମଧ୍ୟ ସେ ନିଜ ଚକ୍ଷୁ ପରୀକ୍ଷା ନକରି ତାର ସହାୟକ ଶ୍ରଦ୍ଧେୟ ଶ୍ରୀକାନ୍ତ ଠାରୁ ପାଇଥିବା ଏକ ଲେନ୍ସରେ ସେ ଲେଖାପଢ଼ା କରୁଛନ୍ତି । ଲେନ୍ସରେ ଦୀର୍ଘ ଦିନ ଧରି ପଢ଼ାପଢ଼ି କରିବା ଆଖିକୁ ପ୍ରତିକୂଳ ସ୍ୱାସ୍ଥ୍ୟ ସମସ୍ୟା ଭିତରକୁ ଠେଲି ଦେବା ସହ ଦୃଷ୍ଟିଶକ୍ତି ମଧ୍ୟ କମାଇ ଦେଇଛି । ଯାହାଫଳରେ ସୁଶାନ୍ତ ପ୍ରଥମ ଥର ପାଇଁ ଚଷମା ବ୍ୟବହାର କରିବା ପାଇଁ ବାଧ୍ୟ ହେଲା । ଅନୁରାଗ ବାବୁଙ୍କ
ଯନ୍ତ୍ରଣାସିକ୍ତ କଥାଟି ଥିଲା ଯେ ଆମ ଗହଣରେ ଏପରି ଅନେକ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ଅତ୍ୟନ୍ତ ଗୁଣୀ ଜ୍ଞାନୀ ଓ ସଚେତନ ମଧ୍ୟ ଏହା ସହ ଆର୍ଥିକ କ୍ଷେତ୍ରରେ ସେମାନେ ମଧ୍ୟ ସ୍ୱଚ୍ଛଳ । କିନ୍ତୁ ସାମାନ୍ୟ ଅବହେଳା ପାଇଁ ସେମାନେ ନିଜର ମୂଲ୍ୟବାନ ସମୟ ଓ ସମ୍ପତ୍ତିକୁ ଏକ ପ୍ରକାର ନଷ୍ଟ କରିଦେଇଥାନ୍ତି । ଚକ୍ଷୁ ଆମ ଶରୀର ସ୍ୱାସ୍ଥ୍ୟର ଅମୂଲ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ପତ୍ତି । ତେବେ ଏ ଅବହେଳା କ\’ଣ ପାଇଁ ହେଲା? ବ୍ୟସ୍ତତା, ଭାବପ୍ରବଣତା ନାଁ ଆଉ କିଛି? ସୁଶାନ୍ତର ବୟସ ସେତେ ବେଶି ନୁହେଁ । ଜଣେ ଯୁବ ଓ କର୍ମଦକ୍ଷ ସାମ୍ବାଦିକ ଭାବେ ସେ ସୁପରିଚିତ । ବଡ଼କଥା ହେଉଛି ସ୍ୱାସ୍ଥ୍ୟ ବିଭାଗର ପ୍ରତିଟି ବିଭାଗରେ ଓଡ଼ିଶାରେ ବେଶ ନାଁ କମାଇଥିବା ପ୍ରଫେସର ଓ ଡାକ୍ତରମାନେ ତାର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ । ତା ସତ୍ତ୍ୱେ ସେ ଏତେ ଅବହେଳା କରି ନିଜର ଯେଉଁ କ୍ଷତି କରିଦେଲା ତାହା ମୋତେ ଅତ୍ୟନ୍ତ ଦୁଃଖିତ କରିଦେଲା । ଡାକ୍ତର ଅନୁରାଗ ବାବୁଙ୍କ ବାପା ସ୍ୱର୍ଗତଃ ପ୍ରଫେସର ଡାକ୍ତର ବ୍ରଜ ସୁନ୍ଦର ମିଶ୍ର ଓଡ଼ିଶାରେ ଜଣେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତରେ ପ୍ରଥିତଯଶା ଚକ୍ଷୁ ରୋଗ ବିଶେଷଜ୍ଞ । ୧୯୮୦- ୯୦ ମସିହା ଭିତରେ ତତ୍କାଳୀନ ସମୟରେ ଓଡ଼ିଶାର ଶ୍ରୀସତ୍ୟସାଇ ସେବା ସଙ୍ଗଠନର ଗ୍ରାମାଞ୍ଚଳରେ ଯେତେ ସବୁ ମାଗଣା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ହେଉଥିଲା ତାହାର ଅନ୍ୟତମ ପୁରୋଧା ଥିଲେ ଡାକ୍ତର ବ୍ରଜ ସୁନ୍ଦର ମିଶ୍ର । ଓଡ଼ିଶାର ଅଗମ୍ୟ ଗ୍ରାମାଞ୍ଚଳକୁ ନିଃସ୍ୱାର୍ଥପର ଭାବରେ ଅନେକ କ୍ଷେତ୍ରରେ ନିଜେ ହାତରୁ ପଇସା ଖର୍ଚ୍ଚ କରି ଗରିବ ଲୋକମାନଙ୍କ ମାଗଣା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରୁଥିଲେ । ତାଙ୍କ ପରଲୋକ ସମୟରେ ଓଡ଼ିଶାର ବିଶିଷ୍ଟ ଇଏନଟି ବିଶେଷଜ୍ଞ ପ୍ରଫେସର ଡାକ୍ତର ଦୟାନିଧି ଦାସ ଏହି ସୁଶାନ୍ତ ମାଧ୍ୟମରେ ଓଡ଼ିଶାର ସମସ୍ତ ଗଣମାଧ୍ୟମରେ ଖବର ଓ ଲେଖା ପ୍ରକାଶ କରାଇଥିଲା । ସେତେବେଳେ ଡାକ୍ତର ଅନୁରାଗ ମିଶ୍ରଙ୍କ ସଂସ୍ପର୍ଶରେ ସେ ଆସିନଥିଲେ । ରାଧାରମଣ ଚକ୍ଷୁ ହସ୍ପିଟାଲ ଓଡ଼ିଶାର ଏକ ପ୍ରମୁଖ ଚକ୍ଷୁ ରୋଗ ଗବେଷଣା ଓ ସେବା ପ୍ରତିଷ୍ଠାନ । ଅସହାୟ, ଗରିବ ଲୋକମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ସେବା ବ୍ୟବସ୍ଥା ମଧ୍ୟ ରହିଛି । ଏଠାରେ କାର୍ଯ୍ୟରତ ଉତ୍ସର୍ଗୀକୃତ ସେବା ମନୋଭାବର ପାଖାପାଖି ତିରିଶରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ କର୍ମ ସଂସ୍ଥାନର ଦାୟିତ୍ୱ ଅନୁରାଗ ବାବୁଙ୍କ ଉପରେ । ବଡ଼କଥା ହେଉଛି ସେହି ଡାକ୍ତରଖାନାର ପରିଚାଳକ ସୁଧୀର କୁମାର ଛାଟୋଇ, ଦେବୀ ପ୍ରସାଦ ସାହୁ, ପ୍ରଦୀପ କୁମାର ପ୍ରଧାନ, ପିଆଲି ଦାସ, ପ୍ରିୟଙ୍କା ଦାସ, ଓଟି ସହାୟିକା ସ୍ୱରୂପା ଦାସ, ସଷ୍ମିତା ମୁଖୀ, କ୍ରୀଷ୍ଣାପାଲ ଓ ଅନ୍ୟ ପ୍ରମୁଖ କର୍ମକର୍ତ୍ତା ଓ ସେବାକାରୀଙ୍କ ଉତ୍ସର୍ଗୀକୃତ
ସେବାମନୋଭାବ ଓ ବ୍ୟବହାର । ରୋଗୀଟିଏ ଯନ୍ତ୍ରଣାସିକ୍ତ ଭାବରେ ଆସିଥାଏ ଉପଷମ ପାଇବା ପାଇଁ । ଡାକ୍ତର ତ ଦ୍ୱିତୀୟ ଭଗବାନ କିନ୍ତୁ ଡାକ୍ତରଙ୍କୁ ସାକ୍ଷାତ ପୂର୍ବରୁ ଓ ସାକ୍ଷାତ ପରେ ଏହି ବ୍ୟକ୍ତିତ୍ୱଙ୍କ ସେବା, ସ୍ନେହ, ମମତା, ଭଲପାଇବାର ପରଷମଣି ସେମାନଙ୍କ ଯନ୍ତ୍ରଣାକୁ ସମ୍ପୂର୍ଣ୍ଣ ଲୋପ କରିଦେଇଥାଏ । ଏମାନେ କିନ୍ତୁ ସୁଶାନ୍ତର ଚକ୍ଷୁ ଅବହେଳା ପରି ରୋଗୀକୁ ସ୍ନେହ ଶ୍ରଦ୍ଧା ଦେବାରେ ହେଳା କରିନଥାନ୍ତି । ଅନୁରାଗ ବାବୁ ତାଙ୍କ ଜୀବନରେ ହେଳା ତ ପ୍ରଶ୍ନ ଉଠୁନି ବରଂ ଯେଉଁ ସେବା ଓ ଉତ୍ସର୍ଗୀକୃତ ମନୋଭାବର ପ୍ରଶଂସା ଓ ସମ୍ମାନ ଆଶୀର୍ବାଦ ଅନେକଙ୍କ ଠାରୁ ପ୍ରାପ୍ତ ହେଉଛନ୍ତି ତାହା ତାଙ୍କ ପାଇଁ ମୂଲ୍ୟବାନ । କୋଟି କୋଟି ମୁର୍ମୁଷୁ ନୂଆ ଜୀବନ ପାଇ ଚକ୍ଷୁ ଦ୍ୱାରା ସମାଜ ଓ ସଂସାରକୁ ଦେଖିବାର ଯେଉଁ ଆଲୋକ ପାଇଥାନ୍ତି ତାର ନେପଥ୍ୟ ଏହି ମହନୀୟ ଡାକ୍ତର ବାବୁଙ୍କର । ଆସନ୍ତୁ ନିଜ ନିଜ ଜୀବନରେ ହେଳା କରି ଭେଳା ବୁଡ଼ାଇବା ନାହିଁ । କାରଣ ଅନେକ ସମୟରେ ନିଜ ହେଳା ସହ ଅନ୍ୟମାନଙ୍କର ବି ଭେଳା ବୁଡ଼ିଯାଏ । ଏହାକୁ ମନେରଖି ଜୀବନକୁ ଆଗେଇ ନେବା ଉଚିତ ।
ଶ୍ୟାମ ସୁନ୍ଦର ସାମଲ
ବିଡ଼ାନାସୀ ବନ୍ଧଛକ, କଟକ,
ଦୂରଭାଷ :
୯୭୭୮୬୩୫୯୨୬

Leave A Reply

Your email address will not be published.