ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବରକନ୍ୟା ଝରଣା

0 94

ଓଡ଼ଗାଁ,୨ା୩ : ନୟାଗଡ଼ ସଦର ମହକୁମାରୁ ଓଡ଼ଗାଁ ୨୨ କିଲୋମିଟର ଯିବା ପରେ କେନାଲ ଛକରୁ ବୁଢାବୁଢିଆଣି ଡ଼୍ୟାମ୍‌ ୮ କିଲୋମିଟର ଦେଇ ବାଣ୍ଠପୁର ପଞ୍ଚାୟତ ଯିବା ପରେ ସେଠାରୁ ୪ କିଲୋମିଟର ଓସ୍ତିଆ ରାସ୍ତା ଦେଇ ନିହଲପ୍ରସାଦ ଗ୍ରାମରୁ ମାତ୍ର ୨ କିଲୋମିଟର ଯିବା ପରେ ଏହି ବର-କନ୍ୟା ଝରଣା ପଡିଥାଏ । ଯୁଗ ଯୁଗରୁ ଏହି ବରକନ୍ୟା ଝରଣା ଏଠାରେ ବହି ଆସୁଥିଲେ ମଧ୍ୟ ତାହା ଲୋକ ଲୋଚନକୁ ଆସି ପାରିନଥିଲା । କିଛିଦିନ ତଳେ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସେଠାକାର ୪ ଚିରସ୍ରୋତା ଝରଣା ଓ କାନଖାଇ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କ ଟାଣି ଆଣିଥିଲା ।

ପାହାଡ଼ ଉପରକୁ କାନଖାଇ, ତା ତଳକୁ ହଳଶଗଡ଼, ବରକନ୍ୟା ଓ ପାଦଦେଶରେ ରହିଛି ଶିଶୁପୁତ୍ର । ଦିନକୁ ଦିନ ଏହି ବର-କନ୍ୟା ଝରଣା ନିଜର ପରିଚୟ ସୃଷ୍ଟି କରିଥିଲା ।ବାସ୍ତବରେ ଏହି ଝରଣା ଅତି ମନୋରମ ବୋଲି ଆଜି ପ୍ରମାଣିତ କରିଛି । ଏଠାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପର୍ଯ୍ୟଟନର ମାନ୍ୟତା ଦେଲେ ସାରା ରାଜ୍ୟରେ ଏହା ଏକ ବିରଳ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବରକନ୍ୟା ଝରଣା ପରିଦର୍ଶନ କରିଛନ୍ତି । ପ୍ରକୃତରେ ଏଠାରେ ଏକ ବିରଳ ଝରଣା ରହିଥିବା କଥାକୁ ସେ ସହଜରେ ହଜମ କରି ପାରିନଥିଲେ ।

ଏଠାର ପରିବେଶ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍‌ ବୋଲି କହିଥିଲେ । ତାଙ୍କ ସହିତ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମିରାବାଇ ବେହେରା, ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନିଲ କୁମାର ଆ·ର୍ଯ୍ୟ, ପଞ୍ଚିରିଡ଼ା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ, ବ୍ଲକ୍‌ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ସହକାରୀ ଯନ୍ତ୍ରୀ ଅରୁନ୍ଧତି ପଣ୍ଡା, ସନାତନ ଭୋଳ, ପୂର୍ବତନ ସରପଞ୍ଚ ଦିବାକର ନାୟକ ଆଦି ଯୋଗଦେଇ ପରିଦର୍ଶନ କରିଥିଲେ ।

ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ଝରଣା ମଧ୍ୟରେ ଥିବା ଏକ ଗଛର ଓହଳରେ ବିଧାୟକ ଦୋଳି ଖେଳିବା ସହ ଝରଣା ଆଗରେ ଠିଆ ହୋଇ ସେଲଫି ନେଇ ମଜା ଉଠାଇଛନ୍ତି । ଏଭଳି ଏକ ଝରଣା ଓଡ଼ଗାଁରେ ବିରଳ ବୋଲି ସେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.