ନବୀନ ଓ ଜଗନ୍ନାଥ

0 59

ବିଶ୍ୱ ନିୟନ୍ତା ମହାବାହୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅପାର । ତାଙ୍କ ଲୀଳା କେହି କେବେ ବୁଝିପାରିନ୍ତି ନାହିଁ । ଯାହା ସବୁ ଘଟିଛି, ଘଟୁଛି ଓ ଘଟିବ କେବଳ ମହାପ୍ରଭୁଙ୍କ ଇଚ୍ଛାରେ । ତାଙ୍କ ବିନା ଅନୁମତିରେ ଗଛରେ ପତ୍ରଟିଏ ବି ହଲେନାହିଁ । ସେ ନ ଚାହିଁଲେ ବଡ଼ଦାଣ୍ଡରେ ରଥ ଗଡ଼ିବା ଅସମ୍ଭବ ହୋଇଯାଏ । ଦୀନ, ଦୁଃଖୀ, ଦରିଦ୍ରଙ୍କୁ ମହାପ୍ରଭୁ ଜଗନ୍ନାଥ କେଉଁ କେଉଁ ରୂପରେ ସାହାଯ୍ୟ କରିଛନ୍ତି ତାହା କାହାକୁ ବା ଅଜଣା! ସେଇଥିପାଇଁ ତ ଓଡ଼ିଶାର ପ୍ରତିଟି ଜନସାଧାରଣ ଜଗନ୍ନାଥଙ୍କୁ ବଡ଼ଠାକୁର ବୋଲି କହିଥାନ୍ତି । ତେବେ ଆଜି ଆମେ ଏଠି ଯାହା ଉପସ୍ଥାପନା କରିବାକୁ ଚାହୁଁଛୁ ତାହା ହେଉଛି ନବୀନ ଓ ଜଗନ୍ନାଥ । ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ କେତେ ଲୋକପ୍ରିୟ ତାହା କାହାକୁ ଅଛପା ନାହିଁ । ବନ୍ୟା, ବାତ୍ୟା, ମରୁଡ଼ି ଭଳି ବହୁ ପ୍ରାକୃତିକ ଦୁର୍ବିପାକ ସମୟରେ ନବୀନ ବାବୁ ଓଡ଼ିଶାବାସୀଙ୍କ ପାଇଁ ଯାହାସବୁ କରିଯାଇଛନ୍ତି ଅଥବା କରୁଛନ୍ତି ଲୋକେ ତାଙ୍କୁ ଖାଲି କେବଳ ମୁହଁରେ ନୁହେଁ ବରଂ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ମହାପ୍ରଭୁଙ୍କ ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପୁରୀକୁ ଯେଭଳି ଐତିହ୍ୟ ସହର ଗଢ଼ି ତୋଳିବାରେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ତାହା ସାରା ବିଶ୍ୱ ଆଜି ଦେଖୁଛି । ତେବେ ବର୍ତ୍ତମାନ କରୋନା ଭଳି ମହାମାରୀ ସମୟରେ ସାରା ବିଶ୍ୱ ଯେଭଳି ତ୍ରାହି ତ୍ରାହି ଡାକୁଛି ଓ ଏଥିରୁ ମୁକୁଳିବାର ବାଟ ଖୋଜିଚାଲିଛି ସେପରିସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଯେ କେତେ ମହତ୍ତ୍ୱ ରଖେ ତାହା ଆପଣମାନେ ଠିକ୍ ରୂପେ ବୁଝିପାରୁଥିବେ । ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ଗତକାଲି ଭିଡିଓ ବାର୍ତ୍ତାରେ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟସ୍ପର୍ଶୀ ଭଳି ମନେହୁଏ । ଉଦାହରଣ ଦେବାକୁ ଯାଇ ସେ କହିଥିଲେ କି ଚଳିତବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ସୃଷ୍ଟି କରିଛି । ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି । ପୁରୀ ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଯାଇଛି । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଛନ୍ତି । ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ । ତେଣୁ ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଛନ୍ତି । କୋଭିଡ୍ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ । ଏହି ତିନୋଟି ଅସ୍ତ୍ର ହିଁ କୋଭିଡ୍ ଯୁଦ୍ଧରେ ଆମକୁ ବିଜୟୀ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ବର୍ତ୍ତମାନର ସମୟ ପାଇଁ ଅତ୍ୟନ୍ତ ଉପଯୋଗୀ ଥିବା ଭଳି ମନେହୁଏ । ବାସ୍ତବିକ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣକୁ ଯଦି ଆମେ ଠିକ୍ ଭାବେ ପରଖିବା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଏବଂ କରୋନା ଭଳି ମହାବିପତ୍ତିରୁ ରକ୍ଷା ପାଇପାରିବା । କାରଣ ଏବେ ରାଜ୍ୟରେ କରୋନା ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଳି ପ୍ରତିଟି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ମାର୍ଗଦର୍ଶନ ଦେଇଚାଲିଛନ୍ତି ତାହା ଦେଖିବା ପରେ ପ୍ରତିଟି ଓଡ଼ିଶାବାସୀଙ୍କ ହୃଦୟକୁ ଜୟ କରିବାରେ ସେ ସକ୍ଷମ ହୋଇପାରିଛନ୍ତି ।

Leave A Reply

Your email address will not be published.