ସିନେ ଜଗତକୁ ଶନିଦଶା !

0 52

ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କରୋନା କାରଣରୁ ସାଢ଼େ ୫ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପାଖାପାଖି ଦେଢ଼କୋଟି ଲୋକ ଏହି ରୋଗରେ ଏବେ ଘାଣ୍ଟି ଚକଟି ହେଉଛନ୍ତି । ତା’ ସାଙ୍ଗକୁ ପ୍ରତ୍ୟେକ ଦିନ ବୈଜ୍ଞାନିକମାନେ କରୋନାକୁ ନେଇ ଯେଭଳି ଭବିଷ୍ୟବାଣୀ କରୁଛନ୍ତି ତାହା ଶୁଣିବା ପରେ ହୃଦ୍କମ୍ପନ୍ ସୃଷ୍ଟି ହେଉଛି । ଏବେ ଏହି କରୋନା ଭାଇରସ୍ ପ୍ରାୟତଃ ସବୁବର୍ଗର ଲୋକଙ୍କ ଠାରେ ଦେଖାଦେଇଛି । ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କ ତଥା ବୃଦ୍ଧବୃଦ୍ଧାମାନେ ଏଥିରେ ସଂକ୍ରମିତ ସାଙ୍ଗକୁ ପ୍ରାଣ ବି ହରାଉଛନ୍ତି । ଆଉ କରୋନା କବଳରୁ ବର୍ତ୍ତିପାରିନାହିଁ ବଲିଉଡ୍ ଶିଳ୍ପଜଗତ । କରୋନା ଯୋଗୁଁ ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଜାରି ରହିଥିବା ବେଳେ ବଲିଉଡ୍ ଜଗତ ବି ଠପ୍ ହୋଇପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ବଲିଉଡ୍ର ବହୁ କଳାକାର ମୃତ୍ୟୁବରଣ କରିସାରିଲେଣି । ସେମାନଙ୍କ ମଧ୍ୟରେ ଋଷି କପୁର, ଇର୍ଫାନ୍ ଖାନ୍, ସୁଶାନ୍ତ ସିଂ ରାଜପୁତ, ସରୋଜ ଖାନ୍, ଜଗଦୀପ, ରଞ୍ଜନ ସେହଗଲଙ୍କ ଭଳି କେତେକ ପ୍ରତିଷ୍ଠିତ କଳାକାର ସାମିଲ ଅଛନ୍ତି । କେବଳ ଏତିକି ନୁହେଁ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଆଉ କିଛି କଳାକାର ଓ ଟେକ୍ନିସିଆନ୍ ମାନଙ୍କର ମଧ୍ୟ ଇତିମଧ୍ୟରେ ପରଲୋକ ହୋଇଯାଇଛି । ଓଡ଼ିଆ, ବଙ୍ଗଳା, କେରଳୀ ଆଦି ଭାଷାଭାଷୀରେ ପ୍ରସ୍ତୁତ ହେଉଥିବା ସିନେମା କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି । ଏସବୁ ସିନେମାରେ କାର୍ଯ୍ୟରତ କଳାକାର ଓ ଟେକ୍ନିସିଆନ୍ମାନେ କାମଧନ୍ଦା ଅଭାବରୁ ଘରେ ବସିରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଇହଧାମ ତ୍ୟାଗ କରିସାରିଲେଣି । ଗୋଟିଏପଟେ କରୋନା ସିନେମା ଶିଳ୍ପକୁ ଠପ୍ କରିଦେଇଥିବାବେଳେ ଅନ୍ୟପଟେ ସିନେମା ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ମାନଙ୍କର ମୁଣ୍ଡ ନେବାରେ ଲାଗିଛି । ଏବେ ସଂକ୍ରମଣର ମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ବଲିଉଡ୍ର ମହାନାୟକ ଭାବେ ପରିଚିତ ଅମିତାଭ ବଚ୍ଚନ ଓ ଅନୁପମ୍ ଖେର୍ଙ୍କ ପରିବାର ଉପରେ ଏହି କରୋନା କଳାବାଦଲ ଢ଼ାଙ୍କିଲାଣି । ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆରାଧ୍ୟ ଏବେ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇସାରିଥିବାବେଳେ ଅନୁପମ୍ ଖେରଙ୍କ ମା’, ଭଉଣୀ, ଭାଇ ଓ ଭାଉଜ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ କନିକା କପୁର, ଜୋଆ ମୋରାନା, ଶାଜା ମୋରାନି କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ସେହିପରି ଗତ ଶନିବାର ଦିନ କୋଏଲ ମଲ୍ଲିକ ଓ ତାଙ୍କ ସଂପୂର୍ଣ୍ଣ ପରିବାର କରୋନା ଆକ୍ରାନ୍ତ ହୋଇଥିବା ଖୋଦ୍ କୋଏଲ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏପରିକି ଚର୍ଚ୍ଚିତ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀଙ୍କୁ କରୋନା ପଜିଟିଭ୍ ହୋଇଥିବାରୁ ରେଖାଙ୍କ ପରିବାର ସଦସ୍ୟ ଏବେ ଆଶା ଆଶଙ୍କାରେ ରହିଛନ୍ତି । ଦିନକୁ ଦିନ ଏବେ ବଲିଉଡ୍ ଷ୍ଟାର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା ଗ୍ରାସ କରିବାରେ ଲାଗିଛି । ଏଥିପାଇଁ ସିନେ ଜଗତର କଳାକାର ଓ ଟେକ୍ନିସିଆନ୍ମାନେ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ ଗତି କରୁଛନ୍ତି । ସେହିଭଳି ଆମେ ଯଦି ଓଡ଼ିଆ ସିନେମା ଶିଳ୍ପ ବା ଓଲିଉଡ୍ କଥାକୁ ବିଚାର କରିବା ଏଠାରେ ମଧ୍ୟ କରୋନା ପ୍ରଭାବ କିଛି କମ୍ ନାହିଁ । କରୋନା ଯୋଗୁଁ ଓଲିଉଡ୍ରେ ବହୁ କଳାକାର ଓ ଟେକ୍ନିସିଆନ୍ ଘରେ ହାତ ବାନ୍ଧି ବସିଛନ୍ତି । କାମଧନ୍ଦା ଅଭାବରୁ କେଉଁ କଳାକାର ହାଟରେ ପରିବା ବିକିଲାଣି ତ ଆଉ କିଏ ଅର୍ଥ ଅଭାବରୁ ରୋଗରେ ପଡ଼ି ଘାଣ୍ଟି ଚକଟି ହେଉଛି । ଅନେକ ଟେକ୍ନିସିଆନ୍ ଦିନକୁ ଦୁଇଓଳା ଖାଦ୍ୟ ମଧ୍ୟ ଯୋଗାଡ଼ କରିପାରୁନଥିବା ନଜିର ରହିଛି । ଦୀପା ସାହୁଙ୍କ ଭଳି ଅଭିନେତ୍ରୀ ଏହି କରୋନା ସମୟରେ ହସ୍ପିଟାଲରେ ପଡ଼ି ମୃତ୍ୟୁ ସହ ଲଢ଼ୁଥିବା ବେଳେ ଚର୍ଚ୍ଚିତ ଅଭିନେତା ବିଜୟ ମହାନ୍ତି ମଧ୍ୟ ଅନୁରୂପ ଭାବେ ହୃଦ୍ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଉ କେତେକ ଛୋଟ କଳାକାର ବିଭିନ୍ନ ରୋଗରେ ପୀଡ଼ିତ ଥାଇ ବି ଅର୍ଥ ଅଭାବରୁ ଡାକ୍ତରଙ୍କ ପରାମର୍ଶ ନେଇପାରୁନଥିବା ଶୁଣିବାକୁ ମିଳିଛି । ତେବେ ସେ ଯାହାହେଉନା କାହିଁକି ମୋଟାମୋଟି ଭାବେ କହିବାକୁ ଗଲେ କରୋନା ପାଇଁ ଏବେ ସିନେ ଜଗତ ଭୁଶୁଡ଼ିଯିବାକୁ ବସିଛି । ତେଣୁ ଏବେ ସିନେମା ଶିଳ୍ପ ପାଇଁ ସଂପୂର୍ଣ୍ଣ ଭାବେ ଶନିଦଶା ପଡ଼ିଛି ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.