ସାଧାରଣତଃ ଜଣେ ଗରିବ ଲୋକର ଖାଦ୍ୟ ମୁଖ୍ୟତଃ ଭାତ, ଡାଲି, ଆଳୁ, ପିଆଜ ଆଦିରେ ସୀମିତ । କିନ୍ତୁ ବର୍ତ୍ତମାନ ଯେଭଳି ଦରଦାମ୍ ବଢ଼ିଚାଲିଛି ତାହାକୁ ଦେଖିଲେ ଲାଗୁଛି ଗରିବର ପଖାଳ କଂସାରେ ଏବେ ସିଧା ଦାଉ ସାଧିଛି ଆଳୁ ଓ ପିଆଜ । ବର୍ତ୍ତମାନ ଆଳୁ କିଲୋ ପ୍ରତି ୩୭ରୁ ୪୦ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପିଆଜର କିଲୋ ମଧ୍ୟ ୩୫ ଛୁଇଁଲାଣି । ଡାଲିର ମୂଲ୍ୟ ବା କେଉଁଠି କମ୍ ରହିଛି? ଗୋଟିଏ ପଟେ କରୋନା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ତା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିକୁ ବ୍ୟତିବ୍ୟସ୍ତ କରିପକାଇଲାଣି । ଗତକାଲିରର ରିପୋର୍ଟକୁ ଯଦି ଦେଖିବା ତେବେ କେନ୍ଦ୍ର ସରକାର ସିଧା ସିଧା କହିଲେଣି କି ବାହାର ଦେଶକୁ ଆଉ ରପ୍ତାନୀ ହେବନାହିଁ ପିଆଜ । ବୈଦେଶିକ ନୀତି-୨୦୧୫ର ସଂଶୋଧନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବାଣିଜ୍ୟ ମନ୍ତ୍ରଣାଳୟ ତା’ର ବିଜ୍ଞପ୍ତିରେ ପ୍ରକାଶ କରିଛି । ଅନ୍ୟପଟେ ଆଳୁ ଯାହାକି ଜଣେ ଗରିବ ହେଉ ଅବା ଧନୀ ସମସ୍ତଙ୍କର ଅତି ପ୍ରିୟ ଖାଦ୍ୟ ତାହାକୁ ଏବେ ହାତ ମାରିହେଉନି । ଦୋକାନୀଙ୍କୁ ଯଦି ପଚାରୁଛେ କି ଆଳୁ କାହିଁକି ଭାଇ ଏତେ ଚଢ଼ା ଦରରେ ମିଳୁଛି ସେମାନେ ଉତ୍ତର ଦିଅନ୍ତି କି ଆମେ କ’ଣ କରିବୁ? ବସ୍ତା ପିଛା ଆମକୁ ଯେତିକି ପଡ଼ୁଛି ଯଦି ଟଙ୍କାଏ ଦି’ ଟଙ୍କା ଲାଭ ନରଖି ବିକିବୁ ତେବେ ଲାଭ କ’ଣ? ଅଧା ତ ପଚାସଢ଼ା ଓ ଫଟାରେ ଯାଉଛି । ଗତ ଏକବର୍ଷ ପୂର୍ବରୁ ପିଆଜର ଦର ୧୦୦ ଉପରେ ଛୁଇଁଥିବା ଆପଣ ସମସ୍ତେ ଜାଣିଥିବେ ନିଶ୍ଚିତ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଳୁ ଓ ପିଆଜ ଉପରେ କାହିଁକି ଲଗାମ ଲାଗିପାରୁନି? କ’ଣ ଆବଶ୍ୟକତା ଅନୁସାରେ ଚାଷ କାର୍ଯ୍ୟ ହେଉନି? ନା ବାହାର ରାଜ୍ୟରୁ ଆମଦାନୀ ଠିକ୍ସେ ହୋଇପାରୁନି? ନା ବେପାରୀମାନେ ନିଜ ଗୋଦାମରେ ଆବଶ୍ୟକତା ଠାରୁ ଢ଼େର ଅଧିକ ରଖି ଜାଣିଶୁଣି ଏଭଳି କୃତ୍ରିମ ଦରବୃଦ୍ଧି କରୁଛନ୍ତି? ଏଭଳି ପ୍ରଶ୍ନ ସାଧାରଣ ମନକୁ ଆସିବା ସ୍ୱାଭାବିକ । ତେବେ ଏହାର କ’ଣ କିଛି ସମାଧାନ ନାହିଁ । କାରଣ ବର୍ତ୍ତମାନ କରୋନା ଯୋଗୁଁ ଲୋକେ କାମଧନ୍ଦା ନପାଇ ହା ହତାଶରେ ଦିନ କାଟୁଛନ୍ତି । ଗୋଟିଏ ପଟେ କାମଧନ୍ଦା ଅଭାବ ଓ ଅନ୍ୟପଟେ ଜିନିଷପତ୍ରର ଅହେତୁକ ଦରବୃଦ୍ଧି, ସାଧାରଣ ଜନଜୀବନ ବିଚଳିତ ହେବା ସ୍ୱାଭାବିକ । ଯଦି ରାଜ୍ୟର ଥିବା ପ୍ରତ୍ୟେକଟି ଗୋଡାଉନ୍ରେ ଚଢ଼ାଉ କରାଯାଆନ୍ତା ଓ ସେଥିରେ ଥିବା ଷ୍ଟକ୍କୁ ସାମ୍ନାକୁ ଅଣାଯା’ନ୍ତା ତେବେ ହୁଏତ ଆଜି ଏତେଟା ଦରବୃଦ୍ଧି ହୁଅନ୍ତା ନାହିଁ ବୋଲି କିଛି ଲୋକ ମତ ଦିଅନ୍ତି । ତା’ଛଡ଼ା ଯେଉଁ ଆଳୁ ଓ ପିଆଜର ସଂକଟକୁ ନେଇ ଆମେ ପ୍ରତିବର୍ଷ ଅଣନିଃଶ୍ୱାସୀ ହୋଇପଡ଼ୁଛୁ ଯଦି ଆମ ରାଜ୍ୟର କୃଷକଭାଇମାନେ ଧାନ ସହ ଏହି ଦୁଇଟି ଚାଷକୁ ଅଗ୍ରାଧିକାର ଦିଅନ୍ତେ ତେବେ ବି ସମସ୍ୟା ବହୁମାତ୍ରାରେ ସମାଧାନ ହୋଇପାରନ୍ତା । ନଚେତ୍ ଏଭଳି ନିଅଣ୍ଟିଆ ପରିସ୍ଥିତି ଆମ ସହ ସର୍ବଦା ଲାଗିରହିଥିବ ।