ଦ୍ରୌପଦୀ ମୁର୍ମୁ: ଏକ ପରିଚୟ

0 65

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଲାଗି ଜଣେଓଡ଼ିଆଙ୍କ ନାମ ଘୋଷଣା କରାଯାଇଛି । ପ୍ରଥମଥର ପାଇଁ ଦେଶ ଜଣେ ଆଦିବାସୀ ମହିଳାଙ୍କୁରାଷ୍ଟ୍ରପତି ପଦରେ ପାଇବାକୁ ଯାଉଛି । ପ୍ରଥମ ଓଡ଼ିଆ ଭାବେ ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ରାଷ୍ଟ୍ରପତି ପଦ ପାଇଁ ଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ମନୋନୀତ କରିବା ପରେ କୋଟି କୋଟି ଓଡ଼ିଆଙ୍କ ଭିତରେ ଆନନ୍ଦ ଖେଳିଯାଇଛି । ରାଇରଙ୍ଗପୁରର ଦୁଃଖର ପାହାଡ଼ ଭିତରୁ ଜଣେ ଆଦିବାସୀ ମହିଳାଙ୍କର ସଫଳତାର କାହାଣୀ କମ ବଡ଼ ପ୍ରେରଣାର ଉତ୍ସ
ନୁହେଁ । ଜାତୀୟ ଗଣମାଧ୍ୟମର ପ୍ରାକ୍‌ ଆଲୋଚନା ଓ ଦୀର୍ଘ ରାଜନୈତିକ ସ୍ତମ୍ଭ ଲେଖିବାର ଅନୁଭୂତିକୁ ନେଇ ଏହି ସ୍ତମ୍ଭକାର ଏ ସଂକ୍ରାନ୍ତରେ ଏକ ଲେଖା ଲେଖିଥିଲେ ଯାହାର ଶୀର୍ଷକଥିଲା “ରାଷ୍ଟ୍ରପତି ରେସ୍ ଓ ଦ୍ରୌପଦୀ ମୁର୍ମୁ’ । ଏହି ଲେଖା ସତ ପ୍ରମାଣିତ ହୋଇଛି । ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ପ୍ରତିଭା ପାଟିଲଙ୍କ ପରେ ସେହେବେ ଦ୍ୱିତୀୟ ମହିଳା । ଭାଜପା ନିକଟରେ ପ୍ରାୟତଃ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ଦ୍ରୌପଦୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ । ଜୀବନର ବାଟରେ ଚାଲୁ ଚାଲୁ ରାସ୍ତାର ମୋଡ଼ ବଦଳି ଯାଇଛି ଯାହା ସ୍ୱପ୍ନ, ବା କଳ୍ପନା ନଥିଲା । ଗରିବ ଆଦିବାସୀ ପରିବାରରେ ପାଠପଢ଼ି ଦାରିଦ୍ର‌୍ୟ ଭିତରେ ଲଢ଼ି ପରିଶେଷରେ ପହଞ୍ôଚଥିଲେ ସ୍ୱପ୍ନର ଭୁବନେଶ୍ୱରରେ । ସେଠାରେ ବିଏ ପାସ ପରେ ଛୋଟିଆ କର୍ମବୃତ୍ତିଟିଏ ପାଇଥିଲେ ସଚିବାଳୟରେ । ସଂସାର କରିବା ପରେ ପ୍ରଥମେ ତାଙ୍କକୋଳମଣ୍ଡନ କରିଥିଲା ଛୋଟ ଝିଅଟି ତେବେ ଅକସ୍ମାତ ଝିଅଟିର ଜୀବନ ଦୀପ ଲିଭିଗଲା ପରେ ସେ ଚାକିରି ଛାଡ଼ି ଗାଁକୁ ଚାଲି ଆସିଥିଲେ । ପରେ ଦୁଇଟି ପୁଅ ଓ ଗୋଟିଏ ଝିଅ ତାଙ୍କ କୋଳକୁ ଆସିଥିଲେ । ପରେ ସ୍ୱାମୀ ଓ ଦୁଇ ପୁଅଙ୍କୁ ସେ ହରାଇଥିଲେ । ୧୯୫୮ ଜୁନ
୨୦ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୯୭ରେ ରାଜନୀତିରେ ପାଦ ଥାପିଲା ପରେ ୨୦୦୦ ମସିହାରେ ରାଇରଙ୍ଗପୁର ବିଧାନସଭାରୁ ଜିତି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଓ ପରେ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟିକା ସମ୍ମାନ ମଧ୍ୟ ପାଇଥିଲେ । ଝାଡ଼ଖଣ୍ଡରେ ଥିବାବେଳେ ସେ ଅତ୍ୟନ୍ତ ଲୋକପ୍ରିୟ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ମାର୍ଗଦର୍ଶନ କରି ଆଦିବାସୀ ବହୁଳ ଏହି ରାଜ୍ୟରେ ଆଦିବାସୀଙ୍କ ସାମଗ୍ରିକ କଲ୍ୟାଣ ପାଇଁ କାର୍ଯ୍ୟ କରିଥିଲେ । ଜଣେ ଓଡ଼ିଆ ହୋଇଥିବାରୁ ଝାଡ଼ଖଣ୍ଡର ଓଡ଼ିଆ ସଙ୍ଗଠନମାନେ ତାଙ୍କ ଠାରୁ ଅନେକ ସାହାଯ୍ୟ ସହଯୋଗ ପାଇଛନ୍ତି । ସମଗ୍ର ଓଡ଼ିଶା ପାଇଁ ଜୁନ ୨୨ ତାରିଖ ନିଶ୍ଚିତ ଭାବେ ଏକ ଐତିହାସିକ ଦିନ ଥିଲା । ଜଣେ ଓଡ଼ିଆ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ମନୋନୟନହେବା ଏହି ଖବର କୋଟି କୋଟି
ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ଘଟଣା ଥିଲା ।ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ କେବଳ ମୟୂରଭଞ୍ଜ ନୁହେଁ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଜାତୀୟ ସ୍ତରରେ ଏବେ ଓଡ଼ିଶାକୁ ନେଇ ଘମାସମ ଚର୍ଚ୍ଚା ଚାଲିଛି । ବିଜେଡ଼ି ସୁପ୍ରିମୋ ନବୀନ ବାବୁ ବିଦେଶ ଗସ୍ତରେ ଥିବାବେଳେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ଶୁଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି । ସମଗ୍ର ରାଜନୀତିର କ୍ଷେତ୍ରକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ଏନଡିଏ ଏବେ ରାଜନୀତିର ଗୋଟି ଚାଳନାରେ ଆଗରେ ଅଛି । ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ରାଜନୀତିରେ ଚମକେଇ ଦେଉଥିବା ରାଜନୀତିର ଧୂରୀଣ ବିନ୍ଧାଣୀ ନରେନ୍ଦ୍ର ମୋଦିଙ୍କ ଏହା ଏକ ମାଷ୍ଟର ଷ୍ଟ୍ରୋକ । ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ନାମ ଘୋଷଣା ପରେ ପରେ ଏନଡିଏ ଏହି ଘୋଷଣା କରିଥିଲା । ତେବେ ଏନଡିଏର ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ନଥିଲା । ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ସମୀକ୍ଷକଙ୍କ ତଥ୍ୟ ଅନୁଯାୟୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଏକ ପ୍ରକାର ନିଶ୍ଚିତ ହୋଇସାରିଥିଲା ଏନଡିଏ ପକ୍ଷରୁ । କାରଣ ତାଙ୍କର ନିଶ୍କଳଙ୍କ ରାଜନୈତିକ ଦିଗ, ସମାଜ ସେବା,ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ହିଁ ତାଙ୍କ ରାଜନୈତିକ ଚରିତ୍ରର ବିଶାଳ ମହତ୍ୱ । ବିରୋଧୀ ଦଳ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ପାଇବା ପାଇଁ ଏହା ମଧ୍ୟରେ ଝାଳନାଳ ହୋଇଯାଇଛନ୍ତି । ପ୍ରଥମେ ଶରତ ପାୱାର, ପରେ ଫାରୁକ୍ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀ ନିଜ ଆଡ଼ୁ ମନା କରିବା ପରେ ବିରୋଧୀ ଏକ ପ୍ରକାର ଲଜ୍ଜିତ ହୋଇ ଯଶୋବନ୍ତଙ୍କ ନାମକୁ ଆଣିବାରେ ବାଧ୍ୟ ହେଲା । ବିରୋଧୀ ଦଳ ଯଦି ରାଷ୍ଟ୍ରପତି ପଦ ପାଇଁ ବିକଳ୍ପ ପାଇପାରୁନାହାଁନ୍ତି ତାହାହେଲେ ପ୍ରଧାନମନ୍ତ୍ରୀ ପଦ ପରି ବ୍ୟକ୍ତିତ୍ୱ ବିକଳ୍ପ କିପରି ପାଇବେ? ନରେନ୍ଦ୍ର ମୋଦି ଏହି ଘୋଷଣା କରିବା ପରେ ଏବେ ରାଜନୀତିର ଗୋଲକ ଧନ୍ଦାରେ ଅନେକ ଦଳ ପଡ଼ିଯିବେ । କୁହାଯାଉଛି ନରେନ୍ଦ୍ର ମୋଦି ଏହି ମାଷ୍ଟର ଷ୍ଟ୍ରୋକ ଖେଳି ଅନେକ ରାଜନୈତିକ ବାଜିର ତାସ ଫୋପାଡ଼ିଛନ୍ତି ବିରୋଧୀଙ୍କ ଉପରେ । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବା ପରେ ଏବେ ବିରୋଧୀ ଚୁପ । ଏନଡିଏର ସମର୍ଥକ ଜେଡୟୁ ଠାରୁ ସମର୍ଥନ ସମ୍ଭାବନାକୁ ନେଇ ଅଡ଼ୁଆ ଭିତରେ ଥିବା ଏନଡିଏ ଏବେ ତାର
ଅଘୋଷିତ ମିତ୍ର ବିଜେଡ଼ି, ଆନ୍ଧ୍ରପ୍ରଦେଶସର ୱାଇଏସଆର କଂଗ୍ରେସ ଠାରୁ ନିଶ୍ଚିତ ସମର୍ଥନ ପାଇବା ପରେ ଝାଡ଼ଖଣ୍ଡର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଠାରୁ ମଧ୍ୟ ନିଶ୍ଚିନ୍ତ ସମର୍ଥନ ପାଇବ । ସେହିପରି ବିଭିନ୍ନ ଦଳରେ ଥିବା ମହିଳା ଓ ଆଦିବାସୀ ଦଳର ବିଧାୟକ ଓ ସାଂସଦମାନେ ମଧ୍ୟ
ନିଜ ଦଳୀୟ ହ୍ୱିପ୍‌କୁ ନ ମାନି ପାରନ୍ତି । ଏହି ବର୍ଷକ ଭିତରେ ଛଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏନଡିଏ ଉଭୟ ମହିଳା ଓ ଆଦିବାସୀ କାର୍ଡ଼ ଖେଳିଛି । ସେହିପରି ଓଡ଼ିଶାରେ ମଧ୍ୟ ବିଜେପି ଆଗକୁ ସଶକ୍ତ ହେବା ପାଇଁ ଏକ ବାର୍ତ୍ତା ଦେଇସାରିଛି । ରାଇରଙ୍ଗପୁରରୁ ରାଇସିନା ହିଲ୍‌ ପର୍ଯ୍ୟନ୍ତ ଦୂର ଯାତ୍ରାକୁ ଆଗଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅନେକ ଅନେକ ଅଭିନନ୍ଦନ । କୋଟି କୋଟି ଓଡ଼ିଆଓ ଝାଡ଼ଖଣ୍ଡର ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନଙ୍କ ପକ୍ଷରୁ ତାଙ୍କୁ ଶୁଭ କାମନା ଜଣାଉଛି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କ ପାଇଁ ପ୍ରାର୍ଥନା ରଖୁଛି ।

Leave A Reply

Your email address will not be published.