ଆଇସିସି ଟେଷ୍ଟ ରାଙ୍କିଙ୍ଗ, ଅଷ୍ଟମ ସ୍ଥାନରେ ବିରାଟ କୋହଲ

0 144

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଦ୍ୱାରା ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ବେଶ ଉପକୃତ ହୋଇଛନ୍ତି । କେବେ ଶୀର୍ଷରେ ରହୁଥିବା ଏବଂ ଟପ୍‌-୩ରେ ରାଜ କରୁଥିବା କୋହଲି ଖରାପ ଫର୍ମ ଯୋଗୁଁ ସମୟକ୍ରମେ ଟପ୍‌-୨୦ରୁ ବାଦ୍‌ ପଡିଥିଲେ । ଟେଷ୍ଟ କ୍ରିକେଟରେ ସେ ଏମିତି ଦୟନୀୟ ପ୍ରଦର୍ଶନ କରିଥିଲେ ଯେ, ଶୀର୍ଷ ୨୦ ବ୍ୟାଟରଙ୍କ ମଧ୍ୟରେ ରହି ପାରିନଥିଲେ । ତେବେ ବିରାଟ କୋହଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ।

ଏହାରି ବଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଆଠଟି ସ୍ଥାନ ଉନ୍ନତି ଘଟାଇଛନ୍ତି ଏହି ପୂର୍ବତନ ଭାରତୀୟ ଅଧିନାୟକ । ୨୧ ନମ୍ବର ସ୍ଥାନରେ ଥିବା କୋହଲି ବର୍ତ୍ତମାନ ମାନ୍ୟତାରେ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି । ସଦ୍ୟ ସମାପ୍ତ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚରେ ମଧ୍ୟ ସେ ଖାସ୍‌ ପ୍ରଦର୍ଶନ କରି ପାରିନଥିଲେ । ମାତ୍ର ଶେଷ ଟେଷ୍ଟରେ ୧୮୬ ରନର ଚମକ୍ରାର ଇନିଂସ ଖେଳିଥିଲେ । ଡାହାଣହାତୀ ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୩୬୪ ବଲରେ ୧୫ ଚୌକା ଜରିଆରେ ୧୮୬ ରନ କରିଥିଲେ ।

ଏହି ପାଳି ଯୋଗୁଁ ତାଙ୍କୁ ଚତୁର୍ଥ ଟେଷ୍ଟରେ ପ୍ଲେୟାର ଅଫ ଦ ମ୍ୟାଚ୍‌ ଆୱାର୍ଡ ମିଳିଥିଲା । ବିରାଟଙ୍କ ବ୍ୟାଟରୁ ଶେଷ ଟେଷ୍ଟ ଶତକ ୨୦୧୯ରେ ଆସିଥିଲା । ହେଲେ ଗତ ୬-୭ ମାସରେ ସେ ତିନି ଫର୍ମାଟରେ ଶତକ ଅର୍ଜନ କରି ଶତକ ମରୁଡିର ଅନ୍ତ ଘଟାଇଛନ୍ତି । ରୋହିତ ଶର୍ମା ମାନ୍ୟତାରେ ଦଶମ ସ୍ଥାନରେ ରହିଥିବା ବେଳେ ଋଷଭ ପନ୍ତ ନବମରେ ଅଛନ୍ତି । ବର୍ତ୍ତମାନ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ମାର୍ନସ ଲାବୁସେନ ଶୀର୍ଷରେ ରହିଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟରେ ଏବଂ ଜୋ ରୁଟ୍‌ ତୃତୀୟରେ ଅଛନ୍ତି ।

ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଜେମ୍ସ ଆଣ୍ଡରସନ ଦ୍ୱିତୀୟ ଏବଂ ପାଟ୍‌ କମିନ୍ସ ତୃତୀୟରେ ଅଛନ୍ତି । ଅଲରାଉଣ୍ଡର୍ସ ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆର ଅଶ୍ୱିନ ଦ୍ୱିତୀୟ ଏବଂ ସାକିବ୍‌ ଅଲ ହସନ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.