କେବେ ସୁଧୁରିବ ମଣିଷର ପ୍ରବୃତ୍ତି!

0 69

କରୋନା ସବୁ ଓଲଟପାଲଟ କରିଦେଇଛି, କିନ୍ତୁ ମଣିଷର ମାନସିକତାକୁ ବଦଳାଇ ପାରିନାହିଁ । ମଣିଷର ପ୍ରକୃତି ଆଗଭଳି ଅଛି । କରୋନା ପ୍ରଭାବିତ ସମୟରେ ସମସ୍ତେ ଏକଜୁଟ୍ ହୋଇ ରହିବା କଥା । କିନ୍ତୁ ଏହି ବିପଦ ସମୟରେ ମଧ୍ୟ ହତ୍ୟା, ବଳାକ୍ରାର, ଲୁଟ୍ ଓ ଦୁର୍ନୀତି ହଟିନାହିଁ । ଏହି ବିପଦ ସମୟରେ ଅନ୍ୟପାଇଁ ବ୍ୟସ୍ତ ବିବ୍ରତ ଆଉ ବ୍ୟଥିତ ହେବାର ପ୍ରବୃତ୍ତି ବଢ଼ିବା ବଦଳରେ ବରଂ କମିଛି । କରୋନା ଅନେକଙ୍କୁ ଲକ୍ଷ୍ମୀଛଡ଼ା କରିଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିଥିଲେ ସେମାନେ ପୁଣି ସେମାନଙ୍କ ପୁରୁଣା ସ୍ଥାନକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି । ଛୋଟମୋଟ ବ୍ୟବସାୟ କରି ପେଟ ପୋଷୁଥିବା ଲୋକଙ୍କ ହାତ ଏବେ ଖାଲି । ଖାଲି ଏତିକି ନୁହେଁ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଇଛି । ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଅନେକ ପରିବାର ଏବେ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି । ଘରୋଇ ସଂସ୍ଥାରେ କାମ କରୁଥିବା ଅନେକ କର୍ମଚାରୀ ଚାକିରି ହରାଇଛନ୍ତି । ଖୁବ୍ ଅନିଶ୍ଚିତତା ମଧ୍ୟରେ ଅଛନ୍ତି ଏମାନେ । ଏଭଳି ଅଭାବନୀୟ ଦୁର୍ଦ୍ଦଶାର ସାମ୍ନା କିଛି ଲୋକ କରୁଥିବାବେଳେ ଆଉ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଯଦି ଏହା ହେଉନଥାନ୍ତା ତେବେ ଧନ୍ତେରାସ୍ରେ ଗହଣା ଦୋକାନରେ ଏତେ ଭିଡ଼ ଦେଖିବାକୁ ମିଳିନଥାନ୍ତା । ତେଣୁ ଲୋକଙ୍କ ମାନସିକତାକୁ କରୋନା ବଦଳାଇ ପାରିନି ବୋଲି ଏକଥା ସ୍ପଷ୍ଟ ବାରି ହୋଇପଡ଼ୁଛି । ଖାଲି ଏତିକି ନୁହେଁ ସରକାରୀ ଚାକିରିଆ ଓ ବାବୁମାନେ ମଧ୍ୟ ଭିଜିଲାନ୍ସ ଜାଲରେ ଧରାପଡ଼ୁଛନ୍ତି । ପ୍ରତିିଦିନ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । କାମ ପାଇଁ ସରକାରୀ ଅଫିସ୍କୁ ବାରମ୍ବାର ଦୌଡ଼ିବାର ଧାରା ଏଯାଏଁ ବନ୍ଦ ହୋଇନାହିଁ । କର୍ମଚାରୀମାନେ ଲୋକଙ୍କ ପାଇଁ ସାମାନ୍ୟ ଦରଦୀ ହୋଇନାହାନ୍ତି କି ସମ୍ବେଦନଶୀଳ ମଧ୍ୟ ହୋଇନାହାନ୍ତି । ମଣିଷର ପ୍ରକୃତି ଓ ପ୍ରବୃତ୍ତି ଯେ ସହଜରେ ବଦଳାଇ ହେବନି ଏକଥା ସତରେ ଏବେ ପରିଣତ ହୋଇଛି । କରୋନା ମାନବ ଜାତିକୁ ଧ୍ୱସ୍ତବିଧ୍ୱସ୍ତ କରୁଥିବାବେଳେ ମଣିଷର ଆଚାର ବିଚାର ଓ ମାନସିକତାକୁ ସାମାନ୍ୟ ପ୍ରଭାବିତ କରିପାରିନି । ସହର ବଜାରରେ ଆଗଭଳି ଭିଡ଼ ଜମିଲାଣି । ସଂକ୍ରମଣ ବଢ଼ୁଥିବା ଆମ ରାଜଧାନୀର ମାର୍କେଟ୍ ବିଲ୍ଡିଂର ଭିଡ଼କୁ ଦେଖିଲେ କ’ଣ ଜଣାଯାଉଛି କରୋନା ଭୟ ରହିଛି ବୋଲି? ପାନରୁ ଚୂନ ଖସିବାକୁ ଦେଉନାହାନ୍ତି ଅନେକ । ସାମାନ୍ୟ ସୁଯୋଗ ପାଇଲେ ଲୋକେ ପୂର୍ବଭଳି ଜୀଇଁବାକୁ ଚାହୁଁଛନ୍ତି । ଗୋଟେ କଥା ଯଦି ଆମେ ଲକ୍ଷ୍ୟ କରିବା ଆଦିମ ଯୁଗରେ ଯେତେବେଳେ ମଣିଷ ଜଙ୍ଗଲରେ ରହୁଥିଲା ସେତେବେଳେ ହିଂସ୍ରଜନ୍ତୁଙ୍କ ସହିତ କେବଳ ତା’ର ସଙ୍ଗାତ ଚାଲିଥିଲା । ସେମାନେ ସମସ୍ତେ ଏକହୋଇ ରହୁଥିଲେ । କିନ୍ତୁ ଏବେ ଦେଖିବାକୁ ମିଳିଛି ଯେ ମଣିଷ ଯେତେ ସାମାଜିକ ହୋଇଯାଉଛି ତା’ ମଧ୍ୟରେ ଇର୍ଷା, ଦ୍ୱେଷ, ବିଦ୍ୱେଷ, ପରଶ୍ରୀକାତରତା, କ୍ରୁରତା ଆଦି ସ୍ୱଭାବ ସେତେ ବଢ଼ିବାରେ ଲାଗିଛି । ଦିନକୁ ଦିନ କ୍ରୁରତା ଭାବ ତା’ ମଧ୍ୟରେ ବଢ଼ିବାରେ ଲାଗିଛି । ନିଜେ କିଭଳି ଭଲରେ ବଞ୍ôଚବ ସେହି ଚିନ୍ତା ତାକୁ ଘାରିଛି । ସେଥିପାଇଁ ସେ ଯେକୌଣସି ଅପକର୍ମ କରିବାକୁ ପଛାଉ ନାହିଁ । ତେଣୁ କଥାରେ ଅଛି ‘ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ’ ।

Leave A Reply

Your email address will not be published.